ଭୁବନେଶ୍ୱର: ସ୍ନାତକମାନେ କେବଳ ଚାକିରି ଖୋଜିବାରେ ସୀମିତ ରହିବା ନୁହେଁ, ବରଂ ନିଜେ ନିଯୁକ୍ତି ସୃଷ୍ଟିକାରୀ ହେବାକୁ ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି। ସମ୍ବଲପୁରର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ (IIM)ର ୧୦ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ସେ ଏହି କଥା କହିଛନ୍ତି।

ରାଜ୍ୟପାଳ ତାଙ୍କ ଉଦ୍ବୋଧନରେ ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଷ୍ଟାର୍ଟଅପ୍ ସଂସ୍କୃତି ଓ ନବସୃଜନର ସୁଯୋଗ ଉପରେ ଆଲୋକପାତ କରିଥିଲେ। ଷ୍ଟାର୍ଟଅପ୍ ଇଣ୍ଡିଆ, ଡିଜିଟାଲ୍ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ ଓ ସ୍କିଲ୍ ଇଣ୍ଡିଆ ପରି ପଦକ୍ଷେପ ଦ୍ୱାରା ଭାରତ ଏବେ ଉଦ୍ୟମିତା ଓ ପ୍ରଯୁକ୍ତିକେନ୍ଦ୍ରିକ ଉନ୍ନତିର ମୁଖ୍ୟ କେନ୍ଦ୍ରରେ ପରିଣତ ହେଉଛି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ନୂତନ ଆବିଷ୍କାର, ପୁଞ୍ଜିନିବେଶ ଓ ନୀତିଗତ ସମର୍ଥନ ସହ ଏକ ଶକ୍ତିଶାଳୀ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଗଠନ କରୁଛି ବୋଲି ରାଜ୍ୟପାଳ ଉଲ୍ଲେଖ କରିଥିଲେ।

IIM ସମ୍ବଲପୁରକୁ ସେ ନବସୃଜନ, ସମାବେଶୀ ଶିକ୍ଷା ଓ ଶୈକ୍ଷିକ ଉତ୍କର୍ଷତାର ପ୍ରତୀକ ଭାବେ ବର୍ଣ୍ଣନା କରିଥିଲେ। MBA, Executive MBA ଓ Working Professionals ପାଇଁ MBA ପ୍ରୋଗ୍ରାମ୍‌ର ସ୍ନାତକମାନଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ।

ସମୟ ସହ ତାଳମେଳ ରଖିବାର ଆବଶ୍ୟକତା ଉପରେ ଜୋର ଦେଇ ସେ ନୋକିଆର ଉଦାହରଣ ଦେଇ କହିଥିଲେ ଯେ, ପ୍ରଯୁକ୍ତି ପରିବର୍ତ୍ତନ ସହ ସମୟୋପଯୋଗୀ ଭାବରେ ଖାପ ଖାଇନପାରିଲେ ବଡ଼ କମ୍ପାନୀମାନେ ମଧ୍ୟ ପଛକୁ ପଡ଼ିଯାଆନ୍ତି। ସେହିପରି ପରାଗ ଅଗ୍ରୱାଲଙ୍କ ଉଦାହରଣ ଦେଇ ବିପର୍ୟୟ ପରେ ପୁନରୁତ୍ଥାନର ଗୁରୁତ୍ୱ ବିଷୟରେ କଥା ହୋଇଥିଲେ।

ରାଜ୍ୟପାଳ ଛାତ୍ରଛାତ୍ରୀଙ୍କୁ କୃତ୍ରିମ ବୁଦ୍ଧିମତା, ହାଇବ୍ରିଡ୍ କାର୍ଯ୍ୟ ପ୍ରଣାଳୀ, ସ୍ଥାୟୀତ୍ୱ ଓ ନୈତିକ ନେତୃତ୍ୱ ଭଳି ଆଗାମୀ ପ୍ରବୃତ୍ତି ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ। ସଫଳତା କେବଳ ବୃତ୍ତିଗତ ସଫଳତାରେ ନୁହେଁ, ବରଂ ମୂଲ୍ୟବୋଧ ଓ ସମାଜରେ ପ୍ରଭାବ ସୃଷ୍ଟିରେ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ।

ଓଡ଼ିଶାରେ ଶିଳ୍ପ, ଖଣି, ବୟନଶିଳ୍ପ, ଆଇଟି ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ଅପାର ସମ୍ଭାବନା ଥିବାକୁ ସେ ଉଲ୍ଲେଖ କରି ଏହି ସୁଯୋଗକୁ ବ୍ୟବହାର କରି ରାଜ୍ୟର ଉନ୍ନତିରେ ଯୋଗଦାନ କରିବାକୁ ସ୍ନାତକମାନଙ୍କୁ ପ୍ରେରିତ କରିଥିଲେ।

ଏହି ଅବସରରେ ଆଡୋବ ଇଣ୍ଡିଆର ଉପାଧ୍ୟକ୍ଷା ଓ ପରିଚାଳନା ନିର୍ଦ୍ଦେଶକ ପ୍ରତିଭା ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। IIM ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ପ୍ରସାଦ ଜୟସ୍ୱାଲ ଓ ବୋର୍ଡ ଅଫ୍ ଗଭର୍ଣ୍ଣରସ୍‌ର ଅଧ୍ୟକ୍ଷ ପ୍ରଫେସର ଚନ୍ଦନ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ। ବିଭିନ୍ନ ବର୍ଗର ସ୍ରେଷ୍ଠ ସ୍ନାତକମାନଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା।