କଟକ: ଓଡ଼ିଶା ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ପାଇଁ ଆଇନଗତ ସମସ୍ୟା ଗଭୀର ହୋଇଛି। ଦୁଇଟି ପୃଥକ ଅଦାଲତ ଅବମାନନା ମାମଲାର ଶୁଣାଣି ପରେ ହାଇକୋର୍ଟ ଶ୍ରୀ ଅଗ୍ରୱାଲଙ୍କ ବିରୋଧରେ ଜାମିନଯୋଗ୍ୟ ଗିରଫ ପରୱାନା ଜାରି କରିଛନ୍ତି। ତାଙ୍କୁ ଆସନ୍ତା ଜାନୁଆରି ୨୨ ତାରିଖରେ ଅଦାଲତରେ ହାଜର କରାଇବା ଉଦ୍ଦେଶ୍ୟରେ ଏହି ପରୱାନା ଜାରି ହୋଇଛି।

ତେବେ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହି ମଧ୍ୟବର୍ତ୍ତୀ ସମୟରେ ଯଦି ପୂର୍ବରୁ ଦିଆଯାଇଥିବା ଆଦେଶ ପାଳନ କରାଯାଏ, ତେବେ ଏହି ପରୱାନା ଆଧାରରେ ଶ୍ରୀ ଅଗ୍ରୱାଲଙ୍କ ବିରୋଧରେ କୌଣସି କଠୋର ପଦକ୍ଷେପ ଗ୍ରହଣ କରାଯିବ ନାହିଁ।

ଜଷ୍ଟିସ ଦୀକ୍ଷିତ କୃଷ୍ଣା ଶ୍ରୀପଦଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ତପନ କୁମାର ପଟ୍ଟନାୟକ ଓ କ୍ଷୀରୋଦ ପ୍ରସାଦ ସାହୁଙ୍କ ତରଫରୁ ଦାୟର ହୋଇଥିବା ଦୁଇଟି ଅଦାଲତ ଅବମାନନା ମାମଲାର ଏକାସାଥିରେ ଶୁଣାଣି କରି ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

ମାମଲାର ପୃଷ୍ଠଭୂମି ଅନୁଯାୟୀ, ଇନକ୍ରିମେଣ୍ଟ ପ୍ରଦାନ ସମ୍ପର୍କରେ ନିୟମ ଉଲ୍ଲଂଘନ ହୋଇଥିବା ଅଭିଯୋଗରେ କିଛି ଅଧ୍ୟାପକ ହାଇକୋର୍ଟର ଆଶ୍ରୟ ନେଇଥିଲେ। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ସେମାନେ ଇନକ୍ରିମେଣ୍ଟ ପାଇବାକୁ ହକଦାର ବୋଲି ଦାବି କରିଥିଲେ। ଏନେଇ ସରକାରଙ୍କ ନିକଟରେ ଦାବିପତ୍ର ଦାଖଲ ହୋଇଥିଲେ ମଧ୍ୟ, ଦୀର୍ଘ ସମୟ ଧରି କୌଣସି ସିଦ୍ଧାନ୍ତ ଗ୍ରହଣ କରାଯାଇନଥିଲା।

୮ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବା ନିର୍ଦ୍ଦେଶ

ଏହାପରେ ଆବେଦନକାରୀମାନେ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ୨୦୨୫ ଜୁଲାଇ ୩୦ ତାରିଖରେ ହାଇକୋର୍ଟ ସରକାରଙ୍କୁ ଦାବିପତ୍ର ଉପରେ ୮ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେଇ ଆବେଦନକାରୀଙ୍କୁ ଅବଗତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ଆଦେଶ କାର୍ଯ୍ୟକାରୀ ନ ହେବାରୁ ଉଚ୍ଚଶିକ୍ଷା ସଚିବଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରାଯାଇଥିଲା।

ଡିସେମ୍ବର ୧୨ରେ ଶୁଣାଣି ସମୟରେ ସରକାର ପକ୍ଷରୁ ସମୟ ମାଗାଯାଇଥିଲେ ମଧ୍ୟ, ପରବର୍ତ୍ତୀ ଶୁଣାଣିରେ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ ହୋଇନଥିବା ସ୍ପଷ୍ଟ ହୋଇଥିଲା। ଏହାକୁ ଗୁରୁତ୍ୱର ସହ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ଜାମିନଯୋଗ୍ୟ ଗିରଫ ପରୱାନା ଜାରି କରିଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସଂଗ୍ରାମ ଜେନା ମାମଲା ପରିଚାଳନା କରୁଛନ୍ତି।