ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ମଙ୍ଗଳବାର ସମ୍ବଲପୁର ପୁଲିସ ପକ୍ଷରୁ ଆୟୋଜିତ ହୋମଗାର୍ଡ ନିଯୁକ୍ତି ପରୀକ୍ଷାରେ ଆଶ୍ଚର୍ଯ୍ୟଜନକ ଭାବେ ବିପୁଳ ସଂଖ୍ୟାର ପ୍ରାର୍ଥୀ ଉପସ୍ଥିତ ହୋଇଥିଲେ। ୨୪ଟି ପୁଲିସ ଥାନା ଅଞ୍ଚଳରେ ମାତ୍ର ୧୮୭ଟି ହୋମଗାର୍ଡ ପଦବି ପାଇଁ ୯ ହଜାରରୁ ଅଧିକ ପ୍ରାର୍ଥୀ ପରୀକ୍ଷାରେ ଯୋଗଦେଇଥିବା ସୂଚନା ଦେଇଛନ୍ତି ହୋମଗାର୍ଡ ଡିଏସପି ବିଲକିସ୍ ବାନୋ ବିବି।
ଏହି ନିଯୁକ୍ତି ପାଇଁ ନ୍ୟୂନତମ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀ ନିର୍ଦ୍ଧାରିତ ଥିବା ସତ୍ତ୍ୱେ ପରୀକ୍ଷାରେ ଅନେକ ଉଚ୍ଚଶିକ୍ଷିତ ପ୍ରାର୍ଥୀଙ୍କ ଉପସ୍ଥିତି ଦେଖିବାକୁ ମିଳିଛି। ସ୍ନାତକ, ଇଞ୍ଜିନିୟର, ଏମ୍ବିଏ, ଏମ୍ସିଏ, ଡିପ୍ଲୋମା, ଆଇଟିଆଇ ଏବଂ କମ୍ପ୍ୟୁଟର ବିଜ୍ଞାନରେ ଶିକ୍ଷାପ୍ରାପ୍ତ ଯୁବକମାନେ ମଧ୍ୟ ଏହି ପରୀକ୍ଷାରେ ଯୋଗଦେଇଥିବା ଜଣାପଡ଼ିଛି।
ଏହି ଚାକିରିରେ ଦୈନିକ ମଜୁରୀ ୬୧୨ ଟଙ୍କା ଥିବା ବେଳେ ମାସିକ ଆୟ ପ୍ରାୟ ୧୮,୩୬୦ ଟଙ୍କା ହେଉଛି। କମ୍ ବେତନ ଏବଂ ସାଧାରଣ ଶିକ୍ଷାଗତ ଯୋଗ୍ୟତା ସତ୍ତ୍ୱେ ଏତେ ବଡ଼ ସଂଖ୍ୟାର ଉଚ୍ଚଶିକ୍ଷିତ ପ୍ରାର୍ଥୀଙ୍କ ଉପସ୍ଥିତି ରାଜ୍ୟରେ ନିଯୁକ୍ତି ଅଭାବର ଚିତ୍ରକୁ ସ୍ପଷ୍ଟ କରିଛି।
ନିଯୁକ୍ତିର ଘୋର ଅଭାବର ପ୍ରତିଛବି
ସମ୍ବଲପୁର ଜିଲ୍ଲାରେ ପୁଲିସ ଗାଡ଼ି ଚାଳନା ଏବଂ କମ୍ପ୍ୟୁଟର ସଂପର୍କିତ କାର୍ଯ୍ୟ ପାଇଁ ଏହି ପଦବି ସୃଷ୍ଟି କରାଯାଇଥିଲା। ହେଲେ ଉଚ୍ଚଶିକ୍ଷିତ ଯୁବକମାନଙ୍କ ଭାଗିଦାରୀ ରାଜ୍ୟରେ ଚାକିରି ସୁଯୋଗର ଘୋର ଅଭାବକୁ ପ୍ରତିଫଳିତ କରୁଛି।
ଏହି ନିଯୁକ୍ତି ପ୍ରକ୍ରିୟା ଜମାଦାରପାଲି ଏୟାର୍ ଷ୍ଟ୍ରିପ୍ରେ ସକାଳୁ ଆରମ୍ଭ ହୋଇଥିଲା। ସକାଳ ୬ଟାରୁ ରିପୋର୍ଟିଂ ଆରମ୍ଭ ହୋଇ ୯ଟାରେ ପ୍ରାର୍ଥୀମାନଙ୍କୁ ପଡ଼ିଆ ଭିତରକୁ ପ୍ରବେଶ କରାଯାଇଥିଲା। ସକାଳ ୧୦.୩୦ରେ ପରୀକ୍ଷା ଆରମ୍ଭ ହୋଇ ୨୦ ନମ୍ବର ପାଇଁ ୩୦ ମିନିଟ୍ର ପ୍ୟାରାଗ୍ରାଫ୍ ଲେଖନ ଏବଂ ପରେ ୩୦ ନମ୍ବରର ଏକ ଘଣ୍ଟିଆ ସାଧାରଣ ଜ୍ଞାନ ପରୀକ୍ଷା ହୋଇଥିଲା।
କଡ଼ା ସୁରକ୍ଷା ଏବଂ ସୁଗମ ପରିଚାଳନା
ସମ୍ବଲପୁର ଏସପି ମୁକେଶ ଭାମୁଙ୍କ ନିର୍ଦ୍ଦେଶରେ ପରୀକ୍ଷାର ସୁଚାରୁ ପରିଚାଳନା ପାଇଁ ୩ ଜଣ ଅତିରିକ୍ତ ଏସପି, ୨୪ ଜଣ ଇନ୍ସପେକ୍ଟର, ୮୬ ଜଣ ଏସଆଇ ଓ ଏଏସଆଇ ସହିତ ୧୦୦ରୁ ଅଧିକ ହୋମଗାର୍ଡ ଏବଂ ଟ୍ରାଫିକ ପୁଲିସ କର୍ମଚାରୀ ମୁତୟନ କରାଯାଇଥିଲେ। ପରୀକ୍ଷା ସମୟରେ ଏୟାର୍ ଷ୍ଟ୍ରିପ୍ ପଡ଼ିଆରେ ପ୍ରାର୍ଥୀମାନଙ୍କ ଉପରେ ନଜର ରଖିବା ପାଇଁ ଡ୍ରୋନ୍ ବ୍ୟବହାର କରାଯାଇଥିବା ସୂଚନା ଡିଆଇବି ଶଶାଙ୍କ ବେହୁରା ଦେଇଛନ୍ତି।





