ଭୁବନେଶ୍ବର/ବୈଶିଙ୍ଗା: ରାଜ୍ୟ ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନା ହିତାଧିକାରୀଙ୍କ ପାଖକୁ ସଠିକ୍ ଭାବରେ ପହଞ୍ଚୁନଥିବା ଅଭିଯୋଗକୁ ନେଇ ବଡ଼ସାହି ବିଧାୟକ ସନାତନ ବିଜୁଳି ବିଧାନସଭାରେ ଉଦ୍ବେଗ ପ୍ରକାଶ କରିଛନ୍ତି।
ଗରିବ ପରିବାରରେ ମୃତ୍ୟୁ ଘଟିଲେ ଶବଦାହ ଓ ଶୁଦ୍ଧିକ୍ରିୟା ପାଇଁ ତତ୍କାଳିକ ସହାୟତା ସ୍ୱରୂପ ୨ ହଜାର ଟଙ୍କା ଦେବା ଯୋଜନା ସରକାର ଚାଲୁ କରିଥିଲା। ହେଲେ ବଡ଼ସାହି ଓ ବେତନଟୀ ବ୍ଲକର ଅନେକ ପଂଚାୟତରେ ଏହି ସହାୟତା ନ ମିଳୁଥିବା ଅଭିଯୋଗ ଜଣାପଡ଼ିଛି।
ଯୋଜନାର ସୁଫଳ ନମିଳି, ଗରିବ ପରିବାର ଅସହାୟ
ଏକାଧିକ ସ୍ଥାନରେ ମୃତ୍ୟୁ ପରେ ପରିବାରଲୋକ ଶବଦାହ ଓ ଶୁଦ୍ଧିକ୍ରିୟା ପାଇଁ ଅନ୍ୟମାନଙ୍କୁ ଧାଡ଼ିବାକୁ ବାଧ୍ୟ ହେଉଛନ୍ତି। ସ୍ଥାନୀୟ ସରପଞ୍ଚ କିମ୍ବା ପ୍ରତିନିଧିମାନେ ଶବ ପାଖରେ ପହଞ୍ଚନ୍ତୁନଥିବା ଅଭିଯୋଗ ମଧ୍ୟ ଆସୁଛି।
ଏହି ପରିସ୍ଥିତିକୁ ନେଇ ନିଜ ନିର୍ବାଚନ ମଣ୍ଡଳରୁ ଏକାଧିକ ଅଭିଯୋଗ ଆସିବା ପରେ ବିଧାୟକ ସନାତନ ବିଜୁଳି ଗୃହରେ ତୀବ୍ର କ୍ଷୋଭ ପ୍ରକାଶ କରିଥିଲେ।
ବିଧାନସଭାରେ ପ୍ରଶ୍ନ, ଯୋଜନାର ସଠିକ୍ କାର୍ଯ୍ୟାନୁଷ୍ଠାନ ଦାବି
ଶୀତକାଳୀନ ଅଧିବେଶନ ସମୟରେ ବିଧାୟକ ବିଜୁଳି ଏହି ଯୋଜନାର କାର୍ଯ୍ୟକାରିତା ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ।
ସେ ଦାବି କରିଛନ୍ତି ଯେ, ଯୋଜନାକୁ ସୁସଂଗଠିତ ଭାବରେ ସମସ୍ତ ପଂଚାୟତରେ ପ୍ରଚଳନ କରାଯାଉ, ଯାହାର ଫଳରେ ଗରିବ ଶ୍ରେଣୀର ଲୋକ ଜୀବନର ସବୁଠାରୁ କଷ୍ଟଦାୟକ ସମୟରେ ଅସୁବିଧାରେ ପଡ଼ିବାକୁ ନପଡ଼ିବ।
ସେ ଆଶା କରିଛନ୍ତି ଯେ, ପ୍ରୟୋଜନୀୟ ପଦକ୍ଷେପ ନିଆଯାଇଲେ ମୃତ୍ୟୁ ପରେ ଅନ୍ତେଷ୍ଟିକ୍ରିୟା କରିବା ପାଇଁ ହିତାଧିକାରୀଙ୍କୁ ଅର୍ଥ ଉପଲବ୍ଧ ହେବ ଏବଂ ସେମାନେ ଅସହାୟତାରେ ନ ପଡ଼ିବେ।





