ଭୁବନେଶ୍ୱର: ମହାପ୍ରଭୁ Jagannathଙ୍କ ପବିତ୍ର ରତ୍ନଭଣ୍ଡାରରେ ରହିଥିବା ସୁନା ଅଳଙ୍କାର ଓ ମୋତିମାଣିକ୍ୟର ଗଣତି-ମଣତି ଖୁବ୍ ଶୀଘ୍ର ଆରମ୍ଭ ହେବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ Mohan Charan Majhiଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରୁ ଏହି ସୂଚନା ମିଳିଛି।
ବୈଠକରେ Jagannath Templeର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ରତ୍ନଭଣ୍ଡାର ସମ୍ପର୍କରେ ବିସ୍ତୃତ ପ୍ରସ୍ତୁତିକରଣ କରିଥିଲେ। ଗଣତି-ମଣତି ପୂର୍ବରୁ ଆବଶ୍ୟକ ସମସ୍ତ ପ୍ରକ୍ରିୟା ସମାପ୍ତ ହୋଇଛି। ବାହାର ଓ ଭିତର ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ କାମ ୯୫ ଦିନ ଓ ୩୩୩ ଘଣ୍ଟାରେ Archaeological Survey of India ଦ୍ୱାରା ସଫଳତାର ସହ ସମ୍ପନ୍ନ କରାଯାଇଛି। ବର୍ତ୍ତମାନ ଗଣତି-ମଣତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି।
SOP ପ୍ରସ୍ତୁତ, ସରକାରୀ ଅନୁମୋଦନ ପରେ ଆରମ୍ଭ
ଗଣତି-ମଣତି ପ୍ରକ୍ରିୟା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ବିସ୍ତୃତ SOP ପ୍ରସ୍ତୁତ କରାଯାଇଛି। ସରକାରୀ ଅନୁମୋଦନ ପରେ କଡା ସୁରକ୍ଷା ମଧ୍ୟରେ ଓ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହ ଏହା କାର୍ଯ୍ୟକାରୀ କରାଯିବ। ଶେଷ ଥର ୧୯୭୮ ମସିହାରେ ଗଣତି-ମଣତି ହୋଇଥିଲା। ବର୍ତ୍ତମାନ ତାଲିକାକୁ ୧୯୭୮ର ତାଲିକା ସହିତ ମେଳ କରାଯାଇ ଚୂଡାନ୍ତ ତାଲିକା ପ୍ରସ୍ତୁତ ହେବ। ସମଗ୍ର ପ୍ରକ୍ରିୟାର ଫଟୋଗ୍ରାଫି ଓ ଡିଜିଟାଲ୍ କାଟାଲଗ୍ ମଧ୍ୟ ପ୍ରସ୍ତୁତ ହେବ।
ରଥଯାତ୍ରା ପ୍ରସ୍ତୁତି ନେଇ ଆଲୋଚନା
ବୈଠକରେ ଚଳିତ ବର୍ଷର ରଥଯାତ୍ରା ପ୍ରସ୍ତୁତି ନେଇ ମଧ୍ୟ ଆଲୋଚନା ହୋଇଥିଲା। ରଥ ନିର୍ମାଣ ପାଇଁ ଆବଶ୍ୟକ ଫାସି କାଠ ଓ ଚନ୍ଦନ କାଠ ଯଥେଷ୍ଟ ପରିମାଣରେ ମିଳିବା ପାଇଁ ବନପ୍ରକଳ୍ପ ମାଧ୍ୟମରେ ଗଛ ଲଗାଇବା ପ୍ରସ୍ତାବ ଆଣିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ ଓ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଉପସ୍ଥିତ ଥିଲେ।





