ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ଖେତ୍ରକୁ ବଡ଼ ଗତି ଦେବା ଉଦ୍ଦେଶ୍ୟରେ କଲ୍ୟାଣୀ ଗ୍ରୁପ୍‌ ଢେଙ୍କାନାଳ ଜିଲ୍ଲାରେ ବିମାନ, ମୋଟର ଯାନ ଓ ପ୍ରତିରକ୍ଷା ଉପକରଣ ଉତ୍ପାଦନ ପାଇଁ ସମନ୍ୱିତ ଶିଳ୍ପ କମ୍ପ୍ଲେକ୍ସ ଗଢ଼ିବ। ଏହି ପ୍ରକଳ୍ପ ପାଇଁ ମୋଟ ୧୭,୨୫୦ କୋଟି ଟଙ୍କା ନିବେଶ କରାଯିବ। ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହାକୁ ଅନୁମୋଦନ ମିଳିଛି।

ଢେଙ୍କାନାଳର ଗଜମରା ଅଞ୍ଚଳରେ ପ୍ରାୟ ୧୧୦୦ ଏକର ଜମିରେ ଏହି ଅତ୍ୟାଧୁନିକ କମ୍ପ୍ଲେକ୍ସ ଗଢ଼ାଯିବ। ଏଠାରେ ସ୍ପେଶାଲିଟି ଷ୍ଟିଲ୍‌, ଟାଇଟାନିୟମ୍‌, ସୁପର ଆଲୟ ଏବଂ ଶିଳ୍ପ ଉପକରଣର କାଷ୍ଟିଂ ଓ ଫୋର୍ଜିଂ ୟୁନିଟ୍ ସ୍ଥାପିତ ହେବ। କଲ୍ୟାଣୀ ଷ୍ଟିଲ୍‌, ସାରଲୋହା ଆଡଭାନ୍ସଡ୍‌ ମ୍ୟାଟେରିଆଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଭାରତ ଫୋର୍ଜ ଏଥିରେ ଅଂଶ ନେବେ।

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ମୋଟ ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ କହିଛନ୍ତି, ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶା କେବଳ ଖଣିଜ ରପ୍ତାନିକାରୀ ରାଜ୍ୟ ଭାବେ ନୁହେଁ, ଉଚ୍ଚମାନର ଉତ୍ପାଦନ କେନ୍ଦ୍ର ଭାବେ ପରିଚିତ ହେବ।

ଏହି ଶିଳ୍ପ ସ୍ଥାପନା ଦ୍ୱାରା ପ୍ରାୟ ୪୮୦୦ ପ୍ରତ୍ୟକ୍ଷ ଏବଂ ୫୫୦୦ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ। ମୋଟ ମିଶି ୧୨ ହଜାରରୁ ଅଧିକ ଉନ୍ନତମାନର ଚାକିରି ସୁଯୋଗ ମିଳିବ ବୋଲି ଆନୁମାନ କରାଯାଇଛି।

ଏହାସହ କ୍ୟାବିନେଟ୍‌ ‘ରାଜ୍ୟ ବିଜ୍ଞାନ ଓ ବୈଷୟିକ ପରିଷଦ’ ଯୋଜନାକୁ ମଧ୍ୟ ମଞ୍ଜୁରୀ ଦେଇଛି। ୫ ବର୍ଷ ପାଇଁ ଚାଲିବାକୁ ଥିବା ଏହି ଯୋଜନାରେ ୨୫୪.୮୫ କୋଟି ଟଙ୍କା ବ୍ୟୟ ହେବ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତି ପ୍ରତି ରୁଚି ବଢ଼ାଇବା ଲକ୍ଷ୍ୟ ରହିଛି।

ଜଳସମ୍ପଦ ବିଭାଗର ୩ ବର୍ଷିଆ ‘ଡାଇଭର୍ସନ ୱେୟାର ସୁଧାର ଯୋଜନା’କୁ ମଧ୍ୟ ଅନୁମୋଦନ ମିଳିଛି। ଏଥିରେ ୪୮୦ଟି ନଦୀବନ୍ଧ ଓ ୨ଟି ବ୍ୟାରେଜ୍‌ର ଉନ୍ନତୀକରଣ ପାଇଁ ୩୬୨ କୋଟି ଟଙ୍କା ବ୍ୟୟ ହେବ।

ସେହିପରି ନିଯୁକ୍ତି ନିୟମ, ସେବା ସର୍ତ୍ତାବଳୀ, ସଂସ୍କୃତି ସେବା ବର୍ଗ ବିସ୍ତାର, ନର୍ସିଂ କର୍ମଚାରୀଙ୍କ ପଦୋନ୍ନତି ଓ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ୪% ସଂରକ୍ଷଣ ସହିତ ଅନ୍ୟାନ୍ୟ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍‌ ସ୍ୱୀକୃତି ଦେଇଛି।