ଭୁବନେଶ୍ୱର: ବରିଷ୍ଠ ରାଜନେତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କର ଆଜି ପରଲୋକ ଘଟିଛି। ସେ ୮୬ ବର୍ଷ ବୟସରେ ଭୁବନେଶ୍ୱରର ଏକ ବେସରକାରୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଛି।

ଜନପ୍ରିୟ ନେତା ଭାବେ ପରିଚିତ କାହ୍ନୁଚରଣ ଲେଙ୍କା ଦୀର୍ଘଦିନ ଧରି ସକ୍ରିୟ ରାଜନୀତିରେ ଜଡିତ ଥିଲେ। ସେ ୧୯୯୫ ରୁ ୨୦୦୦ ପର୍ଯ୍ୟନ୍ତ ଚୌଦ୍ୱାର ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ କାର୍ଯ୍ୟ କରିଥିଲେ। ତାହା ପୂର୍ବରୁ ୧୯୮୮ ରୁ ୧୯୯୪ ପର୍ଯ୍ୟନ୍ତ ସେ ରାଜ୍ୟସଭା ସାଂସଦ ଥିଲେ।

ପି. ଭି. ନରସିଂହ ରାଓଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରରେ ସେ ରେଳ ଓ କୃଷି ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନିଭାଇଥିଲେ। ସେହି ସମୟରେ ପୂର୍ବତଟ ରେଳବାଇ ଓ କୃଷି କ୍ଷେତ୍ରର ଉନ୍ନତି ପାଇଁ ତାଙ୍କ ଅବଦାନ ସ୍ମରଣୀୟ ବୋଲି ମତ ପ୍ରକାଶ ପାଉଛି।

ତାଙ୍କ ବିୟୋଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରି ସମବେଦନା ଜଣାଇଛନ୍ତି ଓ ପରିବାର ପ୍ରତି ସହାନୁଭୂତି ଜଣାଇଛନ୍ତି।

ସେହିପରି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଗଭୀର ଶୋକ ବ୍ୟକ୍ତ କରି କହିଛନ୍ତି ଯେ, କାହ୍ନୁଚରଣ ଲେଙ୍କା ଜଣେ ସୁସଂଗଠକ, ସମାଜସେବୀ ଓ ସାହିତ୍ୟିକ ଭାବେ ନିଜର ଅଲଗା ପରିଚୟ ଗଢ଼ିଥିଲେ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଶୋକବାର୍ତ୍ତା ଜାରି କରି କହିଛନ୍ତି ଯେ, ତାଙ୍କ ଦୀର୍ଘ ରାଜନୈତିକ ଜୀବନ ଓ ଲୋକସେବାମୂଳକ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ।