ଦଶପଲ୍ଲା: ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ଅଧୀନ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକ୍ର ଜାମୁସାହିରୁ କୁଲୁରୁକୁମ୍ପା ପର୍ଯ୍ୟନ୍ତ ଭାରତର ଦ୍ୱିତୀୟ ସର୍ବାଦିକ ଦୀର୍ଘ ଭାୟାଡକ୍ଟ ସେତୁ ନିର୍ମାଣ କାମ ଦ୍ରୁତଗତିରେ ଆଗୁଆଁ ଚାଲିଛି। ପୂର୍ବତଟ ରେଳ ପକ୍ଷରୁ ନିର୍ମାଣ ହେଉଥିବା ଏହି ଭାୟାଡକ୍ଟ ଆସାମର ବୋଗିବିଲ୍ ସେତୁ ପରେ ଦେଶର ଦ୍ୱିତୀୟ ସବୁଠୁ ଲମ୍ବା ରେଳ ସେତୁ ହେବ।
୪.୭୭ କିମି ଲମ୍ବା ଭାୟାଡକ୍ଟ, ୧୮୨ଟି ସ୍ପାନ୍
୩୦୧ କିମି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ଏହି ଅଂଶରେ ସେତୁର ମୋଟ ଲମ୍ବ ୪.୭୭ କିମି ରଖାଯାଇଛି। ସରା ମୋଟ ୧୮୨ଟି ସ୍ପାନ୍ ନିର୍ମାଣକୁ ନେଇ କାମ ଜାରି ରହିଛି। ସେତୁର ବିଭିନ୍ନ ଖମ୍ବ ୮ ମିଟରରୁ ୨୬.୩ ମିଟର ପର୍ଯ୍ୟନ୍ତ ଉଚ୍ଚତାରେ ତିଆରି ହେଉଛି।
ପରିବେଶ ସନ୍ତୁଳନକୁ ଧ୍ୟାନରେ ରଖି ସେତୁର ଡିଜାଇନ୍ କରାଯାଇଛି। ଭାୟାଡକ୍ଟ ତଳରୁ ବନ୍ୟପ୍ରାଣୀ ନିର୍ବିଘ୍ନ ଭାବେ ଚଳାଚଳ କରିପାରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୦-୬୦ ଶତାଂଶ କାମ ଶେଷ ହୋଇଥିବା ସୂଚନା ମିଳିଛି।
୨୦୨୬ ମାର୍ଚ୍ଚ ଭିତରେ ସେତୁ ନିର୍ମାଣ ଶେଷ କରିବା ଲକ୍ଷ୍ୟ ରଖାଯାଇଛି।
୭ଟି ଟନେଲ୍ର ନିର୍ମାଣ ଏଗୁଆଁ
ଏହି ପ୍ରକଳ୍ପ ଅଧୀନ ଖୋର୍ଦ୍ଧାରୁ ଦଶପଲ୍ଲା ପର୍ଯ୍ୟନ୍ତ ୧୦୬ କିମି ଏବଂ ବଲାଙ୍ଗୀରରୁ ପୁରୁଣାକଟକ ପର୍ଯ୍ୟନ୍ତ ୧୨୦ କିମି ମାର୍ଗରେ ରେଳ ଚଳାଚଳ ଆରମ୍ଭ ହୋଇଛି। ମଧ୍ୟଅଂଶର ୭୫ କିମି ରାସ୍ତାରେ ୭ଟି ଟନେଲ୍ ନିର୍ମାଣ କାମ ଚାଲିଛି। ଏହି ଲାଇନ୍ରେ ଆଗାମୀଦିନରେ ଭିଷ୍ଟାଡୋମ୍ ଟ୍ରେନ୍ ଚଳାଇବାକୁ ରେଳ ବିଭାଗ ଯୋଜନା କରୁଛି।
ନୟାଗଡ଼ରେ ଓଡ଼ିଶାର ଦ୍ୱିତୀୟ ଦୀର୍ଘତମ ରେଳ ବ୍ରିଜ୍
କାମୁସାହିରୁ ଗୁରାହ ପର୍ଯ୍ୟନ୍ତ ଏହି ସେତୁ ବର୍ତ୍ତମାନ ଶେଷ ପର୍ଯ୍ୟାୟକୁ ପହଞ୍ଚିଛି। ୮୦ ଫୁଟ୍ ଉଚ୍ଚତାରେ ନିର୍ମାଣ ହେଉଥିବା ଏହି ବୃହତ୍ ସେତୁ ଭବିଷ୍ୟତରେ ନଦୀ, ଜଙ୍ଗଲ ଓ ପାହାଡ଼ ଦୃଶ୍ୟର ଶୋଭା ଉପଭୋଗ କରିବାର ସୁଯୋଗ ଦେବ।
ବୃତଙ୍ଗ ନଦୀ ଉପରେ ଆସନ୍ତା ବୃହତ୍ ଜଳଭଣ୍ଡାରକୁ ଧ୍ୟାନରେ ରଖି ଏହି ସେତୁର ଉଚ୍ଚତା ଓ ଡିଜାଇନ୍ ତିଆରି ହୋଇଛି।
ଭିଷ୍ଟାଡୋମ୍ ଟ୍ରେନ୍: ପ୍ରାକୃତିକ ସୋନ୍ଦର୍ଯ୍ୟର ନୂଆ ଅନୁଭବ
ସମ୍ପୂର୍ଣ୍ଣ ସେତୁ ଶେଷ ହେବାପରେ ଏପଥରେ ଭିଷ୍ଟାଡୋମ୍ ଟ୍ରେନ୍ ଚଳାଇବାକୁ ଯୋଜନା ରହିଛି। ଗ୍ଲାସ୍ ରୁଫ୍ ଏବଂ ବିଶାଳ ଜାଣ୍ଣି ବିଶିଷ୍ଟ ବଗିମାନଙ୍କ ମାଧ୍ୟମରେ ଯାତ୍ରୀମାନେ ପାହାଡ଼, ବନଞ୍ଚଳ, ନଦୀ ଓ ଉପତ୍ୟକାର ସୁନ୍ଦର ଦୃଶ୍ୟ ଘନିଷ୍ଠଭାବରେ ଦେଖିପାରିବେ।





