ବନ୍ଧୁଗାଁ (କୋରାପୁଟ): କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ବାଉଁଶପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଷାକ୍ତ ଖାଦ୍ୟ ସେବନ ପରେ ପଚାଶରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ଭାତରେ ଝିଟିପିଟି ପଡ଼ିଥିବା ସତ୍ତ୍ୱେ ଖାଦ୍ୟ ଛାତ୍ରଛାତ୍ରୀଙ୍କୁ ପରିବେଷଣ କରାଯାଇଥିବା ଅଭିଯୋଗ ହୋଇଛି।
ଖାଦ୍ୟ ଖାଇବା ପରେ ଛାତ୍ରୀମାନେ ପେଟବେଥା, ବାମି ଓ ଅସୁସ୍ଥତା ଅନୁଭବ କରିଥିଲେ। ଘଟଣା ସମୟରେ ବିଦ୍ୟାଳୟରେ ପ୍ରାୟ ୯୮ ଜଣ ଛାତ୍ରଛାତ୍ରୀ ଖାଦ୍ୟ ଗ୍ରହଣ କରିଥିବା ବେଳେ କେତେକ ଛାତ୍ରୀଙ୍କ ଅବସ୍ଥା ଅଧିକ ଗମ୍ଭୀର ହୋଇଥିବା କୁହାଯାଉଛି।
ଖବର ପାଇ ତୁରନ୍ତ ମେଡିକାଲ ଟିମ୍ ବିଦ୍ୟାଳୟରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। ଡାକ୍ତର ନିହାର ରଞ୍ଜନ ଷଡ଼ଙ୍ଗୀ କହିଛନ୍ତି ଯେ, ସମସ୍ତ ଛାତ୍ରୀଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି ଏବଂ ଭୟ ପାଇବା ଭଳି କିଛି ନାହିଁ।
ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଖାଦ୍ୟର ଗୁଣବତ୍ତା ଓ ପରିବେଷଣ ପ୍ରକ୍ରିୟାକୁ ନେଇ ଗୁରୁତର ପ୍ରଶ୍ନ ଉଠିଥିବା ବେଳେ ତଦନ୍ତ ପରେ ସତ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।





