ଭୁବନେଶ୍ୱର: ଏବେ ଜମି କିଣାବିକା ପ୍ରକ୍ରିୟା ଆହୁରି ସହଜ ହେବାକୁ ଯାଉଛି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ଯେ, ନଭେମ୍ବର ୧ ରୁ ରାଜ୍ୟର ଚୟନିତ ୪୪ଟି ତହସିଲ ଅଫିସରେ ସିଧାସଳଖ ଜମି କିଣାବିକା ହେବ। ଏହି ପ୍ରଣାଳୀ ରାଜ୍ୟରେ ଜମି ଲେନଦେନ ସମସ୍ୟା ଦୂର କରିବାରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହେବ।
ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନଭେମ୍ବର ୧ରେ ଏହି ସେବାର ଶୁଭାରମ୍ଭ କରିବେ। ଏହାପରେ ଡିସେମ୍ବର ମାସରେ ରାଜ୍ୟର ଅବଶିଷ୍ଟ ୨୭୩ ତହସିଲରେ ମଧ୍ୟ ଏହି ସୁବିଧା ଆରମ୍ଭ ହେବ।
ନୂତନ ବ୍ୟବସ୍ଥା ଅନୁସାରେ, ଲୋକମାନେ ଅନଲାଇନ ମାଧ୍ୟମରେ ସ୍ଲଟ୍ ବୁକ୍ କରି ତହସିଲ ଅଫିସରେ ସିଧାସଳଖ ଜମି ପଞ୍ଜିକରଣ କରିପାରିବେ। ଏହା ଜମି ଲେନଦେନ ପ୍ରକ୍ରିୟାକୁ ପ୍ରଶସ୍ତ, ସ୍ୱଚ୍ଛ ଓ ଦ୍ରୁତ କରିବା ଉଦ୍ଦେଶ୍ୟରେ ନେଇଯାଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।





