ମାଲକାନଗିରି/ସୁକମା: ଓଡ଼ିଶା ସୀମାନ୍ତ ଛତିଶଗଡ଼ର Sukma districtରେ ସୁରକ୍ଷା ବାହିନୀ ଏକ ବଡ଼ ଅଘଟଣକୁ ଏଡ଼ାଇବାରେ ସଫଳ ହୋଇଛନ୍ତି। ଯବାନମାନେ ମାଓବାଦୀମାନଙ୍କ ଦ୍ୱାରା ପୂର୍ବରୁ ପ୍ରତିଷ୍ଠାପିତ ୩ଟି ଲ୍ୟାଣ୍ଡମାଇନକୁ ଠାବ କରି ସୁରକ୍ଷିତ ଭାବରେ ନିଷ୍କ୍ରିୟ କରିଦେଇଛନ୍ତି।
ମିଳିଥିବା ସୂଚନାନୁସାରେ, Central Reserve Police Force (CRPF)ର ୨୨୬ ବଟାଲିଅନ୍ର ଯବାନମାନେ ଜଗରଗୁଣ୍ଡା କ୍ୟାମ୍ପରୁ ସାଧାରଣ ସର୍ଚ୍ଚ ଅପରେସନ୍ ପାଇଁ ବାହାରିଥିଲେ। ସେମାନେ ଜଗରଗୁଣ୍ଡା ଓ ନାରସାପାରା ଅଞ୍ଚଳରେ ତଲାଶି କାର୍ଯ୍ୟ ଚାଲୁଥିବା ବେଳେ ଜଙ୍ଗଲ ମଧ୍ୟରେ ଏହି ବିସ୍ଫୋରକ ଉପକରଣଗୁଡ଼ିକୁ ଚିହ୍ନଟ କରିଥିଲେ।
ଯବାନମାନଙ୍କୁ ଲକ୍ଷ୍ୟ କରି ମାଓବାଦୀମାନେ ଏହି ଲ୍ୟାଣ୍ଡମାଇନ ଖଞ୍ଜିଥିବା ଜଣାପଡ଼ିଛି। ଏହାମଧ୍ୟରୁ ଗୋଟିଏ ୧ କିଲୋଗ୍ରାମ୍, ଦ୍ୱିତୀୟଟି ୨ କିଲୋଗ୍ରାମ୍ ଏବଂ ତୃତୀୟଟି ୪ କିଲୋଗ୍ରାମ୍ ଓଜନର ଥିଲା।
ଘଟଣା ସମ୍ପର୍କରେ ସୂଚନା ମିଳିବାସହିତ ବୋମା ନିଷ୍କ୍ରିୟ ଦଳକୁ ତୁରନ୍ତ ଡାକାଯାଇଥିଲା। ପରେ ସେମାନେ ସତର୍କତା ସହିତ ତିନୋଟି ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଥିଲେ।
ଯବାନମାନଙ୍କର ସମୟୋଚିତ ସତର୍କତା ଓ ତତ୍ପରତା ଯୋଗୁଁ ଏକ ବଡ଼ ଧରଣର ଦୁର୍ଘଟଣା ଟଳିଯାଇଥିବା ସୁରକ୍ଷା ବଳ ପକ୍ଷରୁ କୁହାଯାଇଛି।





