ଭୁବନେଶ୍ବର — ଆସନ୍ତା ୧୩ ଅଗଷ୍ଟରେ ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି। ଏହାର ପ୍ରଭାବରେ ୧୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ସହ ଝଡ଼ ପବନ ବହିବାର ପୂର୍ବାନୁମାନ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ଦେଇଛି।
ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଟ୍ରଫ୍ ଲାଇନ୍ ପ୍ରଭାବରେ ୨୩ ଜିଲ୍ଲାକୁ ଆଗାମୀ ୨୪ ଘଣ୍ଟା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେଗୁଡିକ ହେଲେ — ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନାଗିରି, କୋରାପୁଟ ଓ ରାୟଗଡ଼ା।
ଏହି ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହେବା ସହିତ ଘଣ୍ଟାପ୍ରତି ୩୦-୪୦ କି.ମି. ବେଗରେ ପବନ ବହିବ। ଆସନ୍ତା କାଲିଠାରୁ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ଅଛି। ୧୩ ତାରିଖ ବେଳକୁ ପବନ ବେଗ ବଢ଼ିବାରୁ ସମୁଦ୍ର ଅଶାନ୍ତ ହେବ, ଯାହା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରେ ନଯିବାକୁ ସଚେତନ କରାଯାଇଛି।
ମୌସୁମୀ ବର୍ଷାର ସଙ୍ଖ୍ୟାତ୍ମକ ତଥ୍ୟ ଅନୁସାରେ, ୧ ଜୁନରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ୬୫୩.୬ ମି.ମି. ବର୍ଷା ରେକର୍ଡ ହୋଇଛି। ଏଥିରୁ ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା, ୪ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଏବଂ ୧୦ ଜିଲ୍ଲାରେ କମ୍ ବର୍ଷା ହୋଇଛି।