ଭୁବନେଶ୍ୱର: ମହାନଦୀ ଜଳ ବିବାଦକୁ କେନ୍ଦ୍ର କରି ମହାନଦୀ ବଞ୍ଚାଓ ଆନ୍ଦୋଳନ (ମହାବଆ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିରରେ ‘ମହାନଦୀ ଟ୍ରିବୁନାଲ ଓ ମହାନଦୀର ଭାଗ୍ୟ’ ଶୀର୍ଷକ ଆଲୋଚନାଚକ୍ରରେ ଆଗାମୀ ଦିନରେ ଏକ ଶ୍ୱେତପତ୍ର ପ୍ରକାଶ କରାଯିବ ବୋଲି ଘୋଷଣା ହୋଇଛି।
ଏହି ଶ୍ୱେତପତ୍ରରେ ପିଛଲା ୮ ବର୍ଷ ଧରି ଟ୍ରିବୁନାଲର କାର୍ଯ୍ୟକଳାପ, ଜଳ ବିବାଦର ପରିସ୍ଥିତି ଓ ସମାଧାନର ସମ୍ଭାବ୍ୟ ପଥକୁ ଆଲୋଚନା କରାଯିବ। ଏହା ସହିତ ମହାନଦୀ ବଞ୍ଚାଓ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।
ଆଲୋଚନାଚକ୍ରରେ ଆବାହକ ସୁଦର୍ଶନ ଦାସଙ୍କ ସଭାପତିତ୍ୱରେ ବହୁ ବିଶେଷଜ୍ଞ, ପୂର୍ବତନ ଯନ୍ତ୍ରୀ, ବୁଦ୍ଧିଜୀବୀ ଓ ସାମାଜିକ କର୍ମୀମାନେ ଯୋଗ ଦେଇଥିଲେ। ଶ୍ୱେତପତ୍ର ପ୍ରସ୍ତୁତି ପାଇଁ ଇଂ ଆଶୁତୋଷ ଦାସଙ୍କ ଆବାହକତ୍ୱରେ ସାତ ଜଣିଆ ବୈଷୟିକ କମିଟି ଗଠନ କରାଯାଇଛି। ଏହି କମିଟିରେ ଜଳ ସମ୍ପଦ ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ, ପ୍ରଫେସର, ବୈଜ୍ଞାନିକ ଓ ସାମ୍ବାଦିକମାନେ ସଦସ୍ୟ ଭାବେ ଅଛନ୍ତି।
ଶ୍ୱେତପତ୍ରରେ ଜଳ ବିବାଦ ସମାଧାନ ପାଇଁ ଆଇନଗତ ଓ ବିକଳ୍ପ ବ୍ୟବସ୍ଥା ସମ୍ବନ୍ଧୀୟ ପରାମର୍ଶ ମଧ୍ୟ ଦିଆଯିବ। ଏହି ରିପୋର୍ଟ ଆସନ୍ତା ମାସ ମଧ୍ୟରେ ପ୍ରସ୍ତୁତ ହୋଇ ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ର ସରକାରଙ୍କୁ ଦାଖଲ କରାଯିବ।
ସେହିପରି, ଆଇନଗତ ପଦକ୍ଷେପ ପାଇଁ ଅଭିଜ୍ଞ ଓକିଲମାନଙ୍କୁ ନେଇ ଏକ ଲିଗାଲ କମିଟି ଗଠନ କରିବା ନିଷ୍ପତ୍ତି ହୋଇଛି। ଏହି କମିଟି ଜଳ ବିବାଦର ବିଚାରଗତ ପ୍ରସଙ୍ଗକୁ ଅଧ୍ୟୟନ କରିବ।
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଟ୍ରିବୁନାଲର ବିଳମ୍ବକୁ ଆଲୋଚନା କରି କହିଥିଲେ ଯେ, ଏତେ ବର୍ଷ ହେବା ସତ୍ୱେ ଟ୍ରିବୁନାଲ ଅନ୍ତରୀଣ ରାୟ ଦେଇପାରିନାହିଁ। ସେ ଅଣ-ମୌସୁମୀ ସମୟରେ ଓଡ଼ିଶାକୁ ପର୍ଯ୍ୟାପ୍ତ ପାଣି ମିଳିବା ପାଇଁ ତୁରନ୍ତ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି।
ଏହା ସହିତ ମହାନଦୀ ଅବବାହିକାର ଜିଲ୍ଲାମାନେରେ ସଂଗଠନକୁ ମଜବୁତ କରି ପ୍ରତି ଜିଲ୍ଲାରେ କମିଟି ଗଠନ କରାଯିବ ବୋଲି ମହାବଆ ପକ୍ଷରୁ ସୂଚନା ମିଳିଛି।





