ଭୁବନେଶ୍ବର: ମହାନଦୀ ଜଳ ବିବାଦର ସମାଧାନ ଉଦ୍ଦେଶ୍ୟରେ ଗଠିତ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ଆସନ୍ତା ୨୨ ତାରିଖ ଅପରାହ୍ଣ ୪ଟାରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଅଧ୍ୟକ୍ଷତା କରିବେ ଓ କମିଟିର ସଦସ୍ୟମାନଙ୍କ ସହ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।
ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ରେ ମାମଲା ଚାଲୁଥିବା ସମୟରେ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇଆସୁଛି। ଟ୍ରିବ୍ୟୁନାଲ୍ରେ ଚାଲୁଥିବା ପ୍ରକ୍ରିୟା, ମହାନଦୀ ଜଳ ବିଷୟର ଜଟିଳତା ଓ ଭାବପ୍ରବଣତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।
ଏହି କମିଟିରେ ବିଜେପି, ବିଜେଡି ଓ କଂଗ୍ରେସ ଦଳର ପ୍ରତିନିଧିମାନଙ୍କୁ ସାମିଲ କରାଯାଇଛି। ମହାନଦୀ ପ୍ରବାହିତ ହୋଇଥିବା ଓଡ଼ିଶାର କିଛି ଜିଲ୍ଲାର ବିଧାୟକମାନେ ମଧ୍ୟ କମିଟିର ସଦସ୍ୟ ରହିଛନ୍ତି। ୮ଜଣିଆ ଏହି କମିଟିରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ସଦସ୍ୟ ଭାବେ ଅଛନ୍ତି।
କମିଟି ମହାନଦୀ ଜଳ ସମ୍ବନ୍ଧୀୟ ସମସ୍ତ ପ୍ରାସଙ୍ଗିକ ପ୍ରସ୍ନକୁ ପରୀକ୍ଷା କରିବା ସହ ରାଜ୍ୟର ବୈଷୟିକ ଓ ପ୍ରଶାସନିକ ସ୍ତରରେ ଚାଲୁଥିବା ପ୍ରୟାସଗୁଡ଼ିକୁ ଆବଶ୍ୟକ ନୀତିଗତ ଦିଗଦର୍ଶନ ଦେବ ବୋଲି ସରକାର ପକ୍ଷରୁ କୁହାଯାଇଛି।
ଟ୍ରିବ୍ୟୁନାଲ୍କୁ ଯିବା ଭୁଲ ନିଷ୍ପତ୍ତି: ଜୟନାରାୟଣ ମିଶ୍ର
କମିଟି ଘୋଷଣା ପରେ ସଦସ୍ୟ ଜୟନାରାୟଣ ମିଶ୍ର କହିଛନ୍ତି ଯେ ପୂର୍ବ ସରକାରଙ୍କ ଟ୍ରିବ୍ୟୁନାଲ୍କୁ ଯିବା ଏକ ଭୁଲ ନିଷ୍ପତ୍ତି ଥିଲା ଏବଂ ଏହାର ରାଜନୈତିକ ସମାଧାନ ଆବଶ୍ୟକ। ଟ୍ରିବ୍ୟୁନାଲ୍କୁ ଯିବାରୁ ପ୍ରକ୍ରିୟା ବିଳମ୍ବିତ ହୋଇଛି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ କମିଟିକୁ ସେ ସ୍ବାଗତ କରିଥିବା ସହ ମହାନଦୀ ବିବାଦ ସମାଧାନ ପାଇଁ ସମ୍ଭବ ସମସ୍ତ ଚେଷ୍ଟା କରାଯିବ ବୋଲି ମତ ପ୍ରକାଶ କରିଛନ୍ତି।
କମିଟି ଗଠନକୁ ସ୍ବାଗତ: ସୋଫିଆ ଫିର୍ଦ୍ଦୋସ
କମିଟିର ଅନ୍ୟତମ ସଦସ୍ୟ ସୋଫିଆ ଫିର୍ଦ୍ଦୋସ କହିଛନ୍ତି ଯେ ଦୀର୍ଘ ୯ ବର୍ଷ ପରେ ମହାନଦୀ ବିବାଦ ସମାଧାନ ପାଇଁ ଏଭଳି ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେବା ଆଶାଜନକ। ନ୍ୟାୟିକ ପ୍ରକ୍ରିୟାରେ ବିଳମ୍ବ ହେଉଥିବାରୁ ଏହି କମିଟି ମାଧ୍ୟମରେ ରାଜନୈତିକ ସ୍ତରରେ ସମାଧାନ ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।





