ଭୁବନେଶ୍ୱର, ୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ସରକାର ପକ୍ଷରୁ IAS ସ୍ତରରେ ବଡ଼ଧରଣର ପ୍ରଶାସନିକ ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂଆ ଦାୟିତ୍ୱ ଦେଇ ପ୍ରଶାସନିକ ପୁନର୍ଗଠନ କରାଯାଇଛି।
ଅଦଳବଦଳ ଅନୁଯାୟୀ, ଦେଓରଞ୍ଜନ କୁମାର ସିଂ ଅନୁ ଗର୍ଗଙ୍କ ସ୍ଥାନରେ ରାଜ୍ୟର ନୂଆ ଉନ୍ନୟନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି। ସତ୍ୟବ୍ରତ ସାହୁଙ୍କୁ ରାଜସ୍ୱ ପରିଷଦର ସଦସ୍ୟ ଭାବେ ଦାୟିତ୍ୱ ଦିଆଯାଇଛି। ହେମନ୍ତ ଶର୍ମା ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ACS) ଭାବେ କାର୍ଯ୍ୟଭାର ଗ୍ରହଣ କରିବେ।
ଏହା ସହିତ ରାଜେଶ ପ୍ରଭାକର ପାଟିଲଙ୍କୁ ରାଜ୍ୟର ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଭାବେ ନିଯୁକ୍ତ କରାଯାଇଛି। ସେ OSDMAର ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ। ଶୁଭା ଶର୍ମାଙ୍କୁ ଜଳ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଥିବା ବେଳେ, ଭାସ୍କରଜ୍ୟୋତି ଶର୍ମା ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ।
ପ୍ରଶାସନିକ ପୁନର୍ଗଠନର ଅଂଶ ଭାବେ ଜିଲାପାଳ ସ୍ତରରେ ମଧ୍ୟ ଅଦଳବଦଳ କରାଯାଇଛି। ମଧୁସ୍ମିତା ରଥଙ୍କୁ ନୟାଗଡ଼ ଜିଲାର ନୂଆ ଜିଲାପାଳ ଭାବେ ନିଯୁକ୍ତ କରାଯାଇଥିବା ବେଳେ, ବର୍ତ୍ତମାନର ନୟାଗଡ଼ ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଗଜପତି ଜିଲାର ଦାୟିତ୍ୱ ପ୍ରଦାନ କରାଯାଇଛି।
ରାଜ୍ୟ ସରକାରଙ୍କ ଏହି ବଡ଼ଧରଣର ଅଦଳବଦଳକୁ ପ୍ରଶାସନିକ କାର୍ଯ୍ୟକୁଶଳତା ବୃଦ୍ଧି ଓ ସେବା ପ୍ରଦାନକୁ ଅଧିକ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଦେଖାଯାଉଛି।





