ମାଲକାନଗିରି: ମାଲକାନଗିରି ଜିଲ୍ଲା କୋର୍ଟ ପରିସରରେ ଆଜି ବୋମା ଆତଙ୍କ ସୃଷ୍ଟି ହୋଇଛି। ଏକ ଅଜ୍ଞାତ ଧମକପୂର୍ଣ୍ଣ ଇ-ମେଲ୍‌ ମାଧ୍ୟମରେ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଚେତାବନୀ ମିଳିବା ପରେ ତୁରନ୍ତ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି।

ସୂଚନା ଅନୁଯାୟୀ, କୋର୍ଟରେ ସାଧାରଣ କାର୍ଯ୍ୟ ଚାଲିଥିବା ସମୟରେ କର୍ତ୍ତୃପକ୍ଷଙ୍କୁ ଏହି ଇ-ମେଲ୍‌ ମିଳିଥିଲା। ଏହାରେ “ତାମିଲନାଡୁ ଲିବରେସନ ଗ୍ରୁପ୍” ନାମକ ଏକ ସଂଗଠନ ପକ୍ଷରୁ କୋର୍ଟ ପରିସରରେ ବୋମା ରଖାଯାଇଥିବା ଓ ଏହାକୁ ବିସ୍ଫୋରଣ କରାଯିବ ବୋଲି ଦାବି କରାଯାଇଥିଲା।

ଘଟଣା ପରେ ଜିଲ୍ଲା ଜଜ୍ ଶାନ୍ତନୁ କୁମାର ଦାସ ତୁରନ୍ତ କୋର୍ଟ ପରିସରକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। କର୍ମଚାରୀ, ଓକିଲ ଓ ମହକିଲମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ନେଇଯାଇଥିଲା।

ଖବର ପାଇ ମାଲକାନଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମଗ୍ର କୋର୍ଟ ପରିସରକୁ ଘେରାଉ କରି ତନାଘନା ଆରମ୍ଭ କରିଛି। ବୋମା ନିଷ୍କ୍ରିୟକାରୀ ଦଳ ଓ ସ୍ପେଶାଲ ସ୍କ୍ୱାଡ୍‌ ମଧ୍ୟ ତଦନ୍ତରେ ସାମିଲ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା କୋର୍ଟ ପରିସରରୁ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିଲେ ମଧ୍ୟ, ପୁଲିସ ଏହାକୁ ଗୁରୁତ୍ୱ ସହିତ ନେଇ ସମସ୍ତ ଦିଗରୁ ତଦନ୍ତ ଜାରି ରଖିଛି। ଏହି ଧମକ ପ୍ରକୃତ ନା କେବଳ ଭୟ ସୃଷ୍ଟି ପାଇଁ କରାଯାଇଛି, ସେଥି ପାଇଁ ମଧ୍ୟ ତଦନ୍ତ ଚାଲିଛି।

ପୁଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ଅଫବାହରେ ବିଶ୍ୱାସ ନ କରିବା ସହ ଶାନ୍ତ ରହିବାକୁ ଅନୁରୋଧ କରାଯାଇଛି।