ଭୁବନେଶ୍ୱର: ଶିକ୍ଷା ବିଭାଗରେ କାର୍ଯ୍ୟରତ କିରାଣି (ମିନିଷ୍ଟେରିଆଲ୍ ସ୍ଟାଫ୍‌)ମାନଙ୍କୁ ୩ ବର୍ଷ ପୂରଣ କରିଥିଲେ ବଦଳି କରାଯିବାକୁ ବାଧ୍ୟତାମୂଳକ କରାଯାଇଛି। ଏହା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି ହୋଇଛି।

ଗତ ଅଗଷ୍ଟ ୨୦ରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିୟମ ଜାରି କରାଯାଇଥିଲା, ଯାହା ଅନୁଯାୟୀ ୩ ବର୍ଷରୁ ଅଧିକ ସମୟ ଧରି ଏକେଇ ସ୍ଥାନରେ ରହୁଥିବା କିରାଣିମାନଙ୍କୁ ବଦଳି କରାଯିବ। ପ୍ରଥମେ ୫୦ ପ୍ରତିଶତ କିରାଣିଙ୍କୁ ଏହି ବର୍ଷରେ ବଦଳି କରାଯିବ ଏବଂ ଅବଶିଷ୍ଟ ୫୦ ପ୍ରତିଶତଙ୍କୁ ଆସନ୍ତା ବର୍ଷ ବଦଳି କରାଯିବ। ଯେମାନେ ଦୀର୍ଘ ସମୟ ଧରି ଏକେଇ ସ୍ଥାନରେ ରହିଛନ୍ତି, ସେମାନଙ୍କୁ ପ୍ରଥମେ ବଦଳି ପାଇଁ ଗୁରୁତ୍ୱ ଦିଆଯିବ।

ହେଲେ, ଏହି ନିୟମ ଶିକ୍ଷକମାନଙ୍କ ପାଇଁ ଲାଗୁ କରାଯିବ ନାହିଁ। ପ୍ରତିବର୍ଷ ଏପ୍ରିଲ ୩୦ରୁ ଜୁନ ୧୫ ମଧ୍ୟରେ ସାଧାରଣ ବଦଳି ପ୍ରକ୍ରିୟା ସମ୍ପନ୍ନ କରାଯିବ। ଏହାରୁ ବାହାରେ ବଦଳି କରାଯାଇଥିଲେ ଉଚିତ୍‌ ଅଧିକାରୀଙ୍କ ବିଶେଷ ଅନୁମୋଦନ ଦରକାର ହେବ।

ଏହି ସମସ୍ତ ପ୍ରକ୍ରିୟାକୁ କଠୋର ଭାବରେ ପାଳନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।