ମାଲକାନଗିରି: ଛତିଶଗଡ ସୀମାବର୍ତ୍ତୀ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳରେ ଗତକାଲି ହୋଇଥିବା ଏନକାଉଣ୍ଟରରେ ଦୁର୍ଦାନ୍ତ ମାଓବାଦୀ ନେତା ଭାସ୍କର ମୃତ୍ୟୁବରଣ କରିଛି। ଏହି ଭାସ୍କରଙ୍କ ଉପରେ ସରକାର ୨୫ ଲକ୍ଷ ଟଙ୍କା ଇନାମ ଘୋଷଣା କରିଥିଲେ। ଘଟଣାସ୍ଥଳରୁ ଏକେ-୪୭ ବନ୍ଧୁକ ଜବତ କରିଛି ସେନା-ପୁଲିସ ବଳ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାସ୍କର ମୁଣ୍ଡଗୁଲା ଭାସ୍କର ରାଓ ଅରଫ ମଇଲାରାପୁ ନାମରେ ପରିଚିତ ଥିଲେ ଓ ତେଲେଙ୍ଗାନା ରାଜ୍ୟର ଆଦିଲାବାଦ ଜିଲ୍ଲା ଉରୁମାଦଲା ଗ୍ରାମର ରହିବାସୀ ଥିଲେ। ସେ ତେଲେଙ୍ଗାନା ଷ୍ଟେଟ କମିଟିର ସ୍ବତନ୍ତ୍ର ଜୋନାଲ କମିଟି ସଦସ୍ୟ ଓ ମଞ୍ଚେରିୟଲ-କୋମରା ଭୀମ ସଂଗଠନର ସଚିବ ଥିଲେ।
ଏନକାଉଣ୍ଟର ସ୍ଥଳରେ ସର୍ଚ୍ଚ ଅପରେସନ ଚାଲିଥିବାବେଳେ, ପୁଲିସ ସୂଚନା ଅନୁଯାୟୀ ଅନ୍ୟାନ୍ୟ ନକ୍ସଲ ମାନେ ଓ ତେଲେଙ୍ଗାନା ଷ୍ଟେଟ କମିଟିର ପ୍ରେସ ଇନଚାର୍ଜ ପ୍ରକାଶ ମଧ୍ୟ ଏଠାରେ କ୍ୟାମ୍ପ କରୁଥିବା ଖବର ମିଳିଥିଲା। ଏଥିପରେ ଦ୍ରୁତ ଚଢ଼ାଉ କରିଥିଲା ସେନା ଓ ପୁଲିସ ବଳ। ଅନେକ ନକ୍ସଲ ଏନକାଉଣ୍ଟରରେ ଖସି ପଳାଇବାରେ ସମର୍ଥ ହୋଇଥିବା ମଧ୍ୟ ପୁଲିସ କହିଛି।
ଘଟଣା ପରେ ଅଞ୍ଚଳରେ ଅଧିକ ସଂଖ୍ୟାରେ ସେନା ଓ ପୁଲିସ ବଳ ତେନାତି ହୋଇଛି। ଅନୁମାନ କରାଯାଉଛି ଯେ ଏହି ଏନକାଉଣ୍ଟରରେ ଆହୁରି କିଛି ନକ୍ସଲ ମୃତ୍ୟୁବରଣ କରିଥିବା ସମ୍ଭାବନା ରହିଛି। ଏନିମିତ୍ତେ ତଦନ୍ତ ଜାରି ରହିଛି।