ଭୁବନେଶ୍ୱର: ମାଓବାଦୀ ସଂଗଠନର ଦୁଇ ଜଣ ଶୀର୍ଷସ୍ତରୀୟ କ୍ୟାଡର ନିଖିଲ (ନିରଞ୍ଜନ ରାଉତ) ଓ ଇନ୍ଦୁ (ଅଙ୍କିତା/ରଶ୍ମିତା ଲେଙ୍କା) ଆତ୍ମସମର୍ପଣ ପାଇଁ ସରକାରଙ୍କ ନିକଟରେ ୪ଟି ସର୍ତ୍ତ ରଖିଥିବା ସୂଚନା ମିଳିଛି। ଗଣମାଧ୍ୟମ ମାଧ୍ୟମରେ ଓଡ଼ିଶା ସରକାର ଓ ଗୃହ ବିଭାଗକୁ ଉଦ୍ଦେଶ୍ୟ କରି ସେମାନେ ଏକ ଚିଠି ଜାରି କରିଥିବା ବେଳେ, ସର୍ତ୍ତ ପୂରଣ ହେଲେ ଓଡ଼ିଶା ପୁଲିସ ସମ୍ମୁଖରେ ଆତ୍ମସମର୍ପଣ କରିବେ ବୋଲି ଉଲ୍ଲେଖ କରିଛନ୍ତି।
ଚିଠିରେ ସେମାନେ କହିଛନ୍ତି ଯେ, ଦୀର୍ଘ ସମୟ ଧରି ସଂଗଠନ ସହ ଜଡିତ ରହି ସଶସ୍ତ୍ର ଆନ୍ଦୋଳନର ରାସ୍ତା ଅନୁସରଣ କରାଯାଉଥିଲା, କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ସେହି ପଦ୍ଧତି ଉପଯୁକ୍ତ ନୁହେଁ ବୋଲି ମତ ପ୍ରକାଶ କରିଛନ୍ତି। ଲୋକଙ୍କ ସହ ଦୂରତା ବଢ଼ୁଥିବାରୁ ସଂଗଠନ ଓ ଆନ୍ଦୋଳନ କ୍ଷତିଗ୍ରସ୍ତ ହେଉଛି ବୋଲି ମଧ୍ୟ ଚିଠିରେ ଉଲ୍ଲେଖ ରହିଛି। ଏହି ପରିପ୍ରେକ୍ଷିତରେ ସେମାନେ ସଶସ୍ତ୍ର ପଥ ତ୍ୟାଗ କରି ସାମ୍ବିଧାନିକ ଓ ଆଇନଗତ ମାର୍ଗରେ ଲୋକଙ୍କ ଅଧିକାର ପାଇଁ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
ନିଖିଲ–ଇନ୍ଦୁ ତାଙ୍କ ଚିଠିରେ କହିଛନ୍ତି ଯେ, ଆତ୍ମସମର୍ପଣ ପରେ ସାମ୍ବିଧାନିକ ସୀମା ମଧ୍ୟରେ ଶ୍ରମିକ, କୃଷକ, ଆଦିବାସୀ, ଦଳିତ ଓ ଅନ୍ୟ ଶ୍ରେଣୀଙ୍କ ଜଳ–ଜମି–ଜଙ୍ଗଲ ଓ ଅଧିକାର ସମ୍ବନ୍ଧୀୟ ବିଷୟରେ କାମ କରିବାକୁ ସୁଯୋଗ ଦିଆଯାଉ। ସେଥିପାଇଁ କୌଣସି ପ୍ରତିବନ୍ଧକ ଲାଗୁ ନକରିବାକୁ ଦାବି କରିଛନ୍ତି।
ଦ୍ୱିତୀୟତଃ, ଆତ୍ମସମର୍ପଣ ପରେ ସେମାନଙ୍କୁ କୌଣସି ପ୍ରକାର ମାଓବାଦୀ ବିରୋଧୀ ସଶସ୍ତ୍ର ଅଭିଯାନ କିମ୍ବା ଜନବିରୋଧୀ କାର୍ଯ୍ୟରେ ନିୟୋଜିତ ନକରିବାକୁ ଅନୁରୋଧ କରିଛନ୍ତି। ତୃତୀୟତଃ, ପୂର୍ବରୁ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମାମଲାରେ ସରକାର ଦେଇଥିବା ପ୍ରତିଶ୍ରୁତି ଓ ନୀତିକୁ ପୂର୍ଣ୍ଣ ଭାବେ କାର୍ଯ୍ୟକରିତ କରିବାକୁ କହିଛନ୍ତି। ଚତୁର୍ଥତଃ, ପରିବେଶ ଓ ସ୍ଥାନୀୟ ଅଧିକାର ସୁରକ୍ଷା ସମ୍ବନ୍ଧୀୟ ଆନ୍ଦୋଳନରେ ସାମ୍ବିଧାନିକ ମାର୍ଗରେ ଭାଗ ନେବାର ଅଧିକାର ଦାବି କରିଛନ୍ତି।
ଏହି ଚିଠି ସମ୍ପର୍କରେ ସରକାରୀ ପକ୍ଷରୁ ଅଧିକୃତ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିନାହିଁ।





