ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ପୁଣିଥରେ ମାରିଜୁଆନା ଚାଲାଣ ମାମଲାରେ ଚର୍ଚ୍ଚାରେ ଆସିଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କଷ୍ଟମ ବିଭାଗ ୩ କୋଟି ଟଙ୍କାର ମାରିଜୁଆନା ଜବତ କରିଛି ଏବଂ ଏହା ସହିତ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ବ୍ୟାଙ୍କକରୁ ଆସୁଥିବା ସମୟରେ ଏହି ଯୁବକ ଧରାପଡ଼ିଥିଲେ। ଲଗେଜ ଚେକିଂ ବେଳେ ତାଙ୍କ ବ୍ୟାଗରୁ ୩.୨ କିଲୋ ମାରିଜୁଆନା ମିଳିଥିଲା ବୋଲି ସୂଚନା ମିଳିଛି।
କଷ୍ଟମ ଅଧିକାରୀମାନେ ଅଭିଯୁକ୍ତଙ୍କୁ ଉଠାଇ ନେଇ ପଚରାଉଚରା ଆରମ୍ଭ କରିଛନ୍ତି। ଭୁବନେଶ୍ୱର ବିମାନବନ୍ଦର ଦେଇ ବାରମ୍ବାର ଏହି ପ୍ରକାର ନିଶାଦ୍ରବ୍ୟ ଚାଲାଣ ହେଉଥିବାରୁ ଏହାକୁ ଅନ୍ତର୍ଜାତୀୟ ମାଫିଆ ଚକ୍ର ସହିତ ଯୋଡ଼ି ଦେଖାଯାଉଛି।
ଯୋଗ୍ୟ ଉଲ୍ଲେଖ, ଗତ ଅଗଷ୍ଟ ୨୩ ତାରିଖରେ ମଧ୍ୟ ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟି ଟଙ୍କାର ମାରିଜୁଆନା ଜବତ ହୋଇଥିଲା। ସେଥିରେ ବ୍ୟାଙ୍କକରୁ ଆସୁଥିବା ଜଣେ ପ୍ରେମୀଯୁଗଳ ଜଡ଼ିତ ଥିଲେ। ତାହାପୂର୍ବରୁ ଡିଆରଆଇ (DRI) ଥାଇଲାଣ୍ଡରୁ ଆସୁଥିବା ୮ କୋଟି ଟଙ୍କାର ମାରିଜୁଆନା ଜବତ କରିଥିଲା, ଯେଉଁଠାରେ ଗୁଜୁରାଟର ଜଣେ ଯୁବକ ଅଟକ ହୋଇଥିଲେ।
ଗତ ଜୁଲାଇ ୩୦ ତାରିଖରେ ମଧ୍ୟ ୩୦ କେଜି ମାରିଜୁଆନା ସହ ୩ ଯୁବକ ଭୁବନେଶ୍ୱର ବିମାନବନ୍ଦରରୁ ଗିରଫ ହୋଇଥିଲେ। ପୁଣି ଥରେ ଏପରି ଘଟଣା ପଦାକୁ ଆସିବାରୁ, ଭୁବନେଶ୍ୱରକୁ ନିଶା ଚାଲାଣ ହବ୍ ଭାବେ ବ୍ୟବହାର କରାଯାଉଥିବା ଆଶଙ୍କା ଜୋରଦାର ହୋଇଛି।