ଭୁବନେଶ୍ୱର: ଲାଞ୍ଚ ନେବା ଅଭିଯୋଗରେ କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଜଣେ କୋଇଲା ବ୍ୟବସାୟୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଥିଲା। ପରବର୍ତ୍ତୀ ଚଢ଼ାଉରେ ତାଙ୍କ ନିକଟରୁ ବିପୁଳ ପରିମାଣର ଅଘୋଷିତ ସମ୍ପତ୍ତି ଠାବ ହୋଇଛି।

ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର, କଟକ ଓ ଭଦ୍ରକ ସହ ବିଭିନ୍ନ ସ୍ଥାନରେ ସମାନ୍ତରାଳ ଭାବେ ଚଢ଼ାଉ କରାଯାଇଥିଲା। ପଟିଆସ୍ଥିତ ତାଙ୍କ ଫ୍ଲାଟରୁ ମାତ୍ର ଗୋଟିଏ ସ୍ଥାନରୁ ୪.୨୮ କୋଟି ଟଙ୍କା ନଗଦ ଜବତ ହୋଇଥିବାବେଳେ କଟକ କାର୍ଯ୍ୟାଳୟରୁ ଅଧିକ ରାଶିର ଟଙ୍କା ମଧ୍ୟ ମିଳିଛି। ଘରର ବିଭିନ୍ନ ସ୍ଥାନ, କପବୋର୍ଡ, ଟ୍ରଲିବ୍ୟାଗ୍‌ ଓ ଶୋଇବା ଘରର ଗୁପ୍ତ ସ୍ଥାନରୁ ବଣ୍ଡଲ ବଣ୍ଡଲ ଟଙ୍କା ଉଦ୍ଧାର ହୋଇଥିଲା।

ଏହାସହ ୩୦୫ ଗ୍ରାମ ସୁନା ଗହଣା, ୬୦୦ ଗ୍ରାମ ରୂପା, ବ୍ୟାଙ୍କ ଜମା, ବୀମା ନିବେଶ ଓ ସେୟାର ବଜାରରେ କୋଟି କୋଟି ଟଙ୍କା ପୁଞ୍ଜି ନିବେଶ ସମ୍ପର୍କିତ ତଥ୍ୟ ଭିଜିଲାନ୍ସ ହାତକୁ ଆସିଛି। ପାହାଳ ଅଞ୍ଚଳରେ ପ୍ରାୟ ଦେଢ଼ କୋଟି ଟଙ୍କା ମୂଲ୍ୟର ଦୁଇମହଲା ଘର ନିର୍ମାଣ ଚାଲିଥିବା ବି ଠାବ ହୋଇଛି। ଏପର୍ଯ୍ୟନ୍ତ ଚିହ୍ନଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬ କୋଟି ଟଙ୍କାରୁ ଅଧିକ ହେବ ବୋଲି ଭିଜିଲାନ୍ସ ସୂଚନା ଦେଇଛି।

ତଦନ୍ତରୁ ଜଣାପଡ଼ିଛି ଯେ, କୋଇଲା ପରିବହନକୁ ସୁବିଧାଜନକ କରିବା ପାଇଁ ସଂପୃକ୍ତ ବ୍ୟବସାୟୀଙ୍କଠାରୁ ପ୍ରଥମେ ୪୦ ହଜାର ଟଙ୍କା ଲାଞ୍ଚ ଦାବି କରାଯାଇଥିଲା। ବ୍ୟବସାୟୀ ଭିଜିଲାନ୍ସକୁ ଅଭିଯୋଗ କରିବା ପରେ ଯୋଜନାମୁତାବକ ଟଙ୍କା ଦେବା ସମୟରେ ଅଧିକାରୀ ଧରାପଡ଼ିଥିଲେ।

୨୦୦୪ ମସିହାରେ ମାସିକ ୮ ହଜାର ଟଙ୍କା ବେତନରେ କନିଷ୍ଠ ଖଣି ଅଧିକାରୀ ଭାବେ ଚାକିରି ଆରମ୍ଭ କରିଥିବା ଦେବବ୍ରତ ମହାନ୍ତି ପରବର୍ତ୍ତୀ ୨୨ ବର୍ଷରେ ବିପୁଳ ସମ୍ପତ୍ତି ସଂଗ୍ରହ କରିଥିବା ଅଭିଯୋଗ ଉଠିଛି। ବଲାଙ୍ଗୀର, ବାରିପଦା, ବ୍ରହ୍ମପୁର, ଭୁବନେଶ୍ୱର, ସମ୍ବଲପୁର ଓ ଫୁଲବାଣୀରେ ସେ ବିଭିନ୍ନ ପଦବିରେ କାର୍ଯ୍ୟ କରିଥିଲେ। ଚଳିତ ବର୍ଷ ଜାନୁଆରିରେ ସେ କଟକ ସର୍କଲର ଉପଖଣି ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିଲେ।

ଭିଜିଲାନ୍ସ ତଦନ୍ତରେ ବେଆଇନ ବାଲିଘାଟ, କୋଇଲା ଡିପୋ ଓ ଖଣି ସମ୍ପର୍କିତ କାରବାରରୁ ଅବୈଧ ଅର୍ଥ ଆଦାୟ ହୋଇଥିବା ସନ୍ଦେହ କରାଯାଉଛି। ଏଥିପାଇଁ ଏକ ବିଶେଷ ନେଟୱର୍କ ଓ କିଛି ସଂପର୍କୀୟଙ୍କ ସହଯୋଗ ନିଆଯାଇଥିବା ନେଇ ମଧ୍ୟ ତଦନ୍ତ ଚାଲିଛି। ସଂପୃକ୍ତ ବ୍ୟକ୍ତିଙ୍କ କଲ୍‌ ରେକର୍ଡ, ଆର୍ଥିକ ଲେନଦେନ ଓ ସହଯୋଗୀମାନଙ୍କ ଭୂମିକାକୁ ନେଇ ଖୋଳତାଡ଼ ଜାରି ରହିଛି।

ଜେରା ପରେ ଶ୍ରୀ ମହାନ୍ତିଙ୍କୁ କୋର୍ଟରେ ପେଶ କରାଯାଇଥିବାବେଳେ ଆୟଠାରୁ ଅଧିକ ସମ୍ପତ୍ତି ମାମଲାରେ ଆହୁରି ତଦନ୍ତ ଜାରି ରହିଛି। ଏହି ଚଢ଼ାଉକୁ ରାଜ୍ୟ ଭିଜିଲାନ୍ସ ଇତିହାସରେ ସର୍ବାଧିକ ନଗଦ ଜବତ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି।