ଭୁବନେଶ୍ୱର: ଆସନ୍ତା ରଥଯାତ୍ରାର ସୁଚାରୁ ପରିଚାଳନା ପାଇଁ ଓଡ଼ିଶା ସରକାର ମନ୍ତ୍ରୀମଣ୍ଡଳୀୟ କମିଟି ଗଠନ କରିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଥିବା ବିଜ୍ଞପ୍ତି ଆଜି ଆଇନ ବିଭାଗ ଦ୍ଵାରା ଜାରି ହୋଇଛି। ଏହି କମିଟିରେ ଆଇନ, ସ୍ୱାସ୍ଥ୍ୟ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଓ ପରିବହନ ମନ୍ତ୍ରୀମାନେ ସଦସ୍ୟ ଭାବେ ରହିବେ। କମିଟିର ଆବାହକ ଭାବରେ ଆଇନ ବିଭାଗ ପ୍ରମୁଖ ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି।

ଏହି ବର୍ଷ ରଥଯାତ୍ରା ୯ ଦିନ ଧରି ଆୟୋଜିତ ହେବାକୁ ଯାଉଛି ଏବଂ ମାତ୍ର ୨୦ ଦିନ ପରେ ମହାପ୍ରଭୁଙ୍କ ରଥ ଟାଣିବା କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ବିଭିନ୍ନ ବିଭାଗ ସମନ୍ୱୟରେ ପ୍ରସ୍ତୁତି କାର୍ଯ୍ୟ ତ୍ବରିତ ଗତିରେ ଚାଲିଛି।

ରଥଖଳାରେ ମଧ୍ୟ ରଥ ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ହେଉଛି ରଥ ତିଆରିର ୩୫ତମ ଦିନ। ତିନି ଟି ରଥର ଚକ ଓ ଅଖ ବିନ୍ୟାସ ପ୍ରାୟ ସମ୍ପୂର୍ଣ୍ଣ ହୋଇଯାଇଛି। ତାଳଧ୍ୱଜ ଓ ଦର୍ପଦଳନ ରଥର ଚକ ଦିଗ ନିର୍ଣ୍ଣୟ ସଫଳ ଭାବେ ହୋଇଯାଇଛି, କିନ୍ତୁ ନନ୍ଦିଘୋଷ ରଥର ଅଖ ରେ ସଂଶୋଧନ ଆବଶ୍ୟକ ଥିବାରୁ ତାହାର ଦିଗ ନିର୍ଣ୍ଣୟ ଏପର୍ଯ୍ୟନ୍ତ ହୋଇନାହିଁ।

ଏହାସହିତ ରଥର ଦଣ୍ଡା ଫ୍ରେମ୍‌, ନମ୍ବର ଲେଖା, ଓ କଳସା ପାଇଁ ମାପ ଚିହ୍ନ ମଧ୍ୟ ପୂର୍ଣ୍ଣ ହୋଇଛି। ରଥ ଆଗକୁ ଗଡ଼ି ନଯିବା ପାଇଁ ଚକ ପାଖରେ ବାନ୍ଧ ଲଗାଯାଇଛି। ରଥ ତିଆରି କାର୍ଯ୍ୟରେ ମୁଖ୍ୟ ମହାରଣା ଓ ଭୋଇ ସେବକମାନେ ନିୟୋଜିତ ଅଛନ୍ତି।

ରଥଯାତ୍ରା ଏକ ବିଶ୍ୱସ୍ତରୀୟ ଧାର୍ମିକ ଉତ୍ସବ ଥିବାରୁ ଏହାର ପ୍ରସ୍ତୁତିରେ ରାଜ୍ୟ ସରକାର ଏବେ ବହୁମୁଖୀ ପଦକ୍ଷେପ ଗ୍ରହଣ କରୁଛି।