ଝାରସୁଗୁଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗାମୀ ଗସ୍ତକୁ କେନ୍ଦ୍ର କରି ଝାରସୁଗୁଡ଼ାରେ ସୁରକ୍ଷା ବ୍ୟବସ୍ଥା କଟକଟିଆ କରାଯାଇଛି। କାରକେଡ୍ ରିହର୍ସଲ ସରିଥିବା ବେଳେ ପୁରା ସହରକୁ ସୁରକ୍ଷା ବଳୟରେ ଆଣାଯାଇଛି।
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସେବା ପର୍ବ ଏବଂ ଯୁବ ସମାବେଶରେ ଯୋଗଦେବେ। ବିଜେପି କ୍ଷମତାରୋହଣ ପରେ ଏହା ତାଙ୍କ ସପ୍ତମ ଓଡ଼ିଶା ଗସ୍ତ। ବିମାନବନ୍ଦରରୁ ଅମିଲିପାଲି ପଡ଼ିଆ ସଭାସ୍ଥଳ ପର୍ଯ୍ୟନ୍ତ କାରକେଡ୍ ପାଇଁ ପ୍ରାୟୋଗିକ ଅଭ୍ୟାସ ହୋଇସାରିଛି।
ସଭାସ୍ଥଳର ପ୍ରସ୍ତୁତିର ସମୀକ୍ଷା ମୁଖ୍ୟମନ୍ତ୍ରୀ ସ୍ୱୟଂ କରିଥିବା ବେଳେ ଆଜି କ୍ୟାବିନେଟ୍ ସହଭାଗୀମାନେ ସମସ୍ତ ଆୟୋଜନ ଉପରେ ନିକଟ ନଜର ରଖିଛନ୍ତି।
ପ୍ରଧାନମନ୍ତ୍ରୀ ପ୍ରାୟ ଦେଢଘଣ୍ଟା ସମୟ ଧରି ସଭାସ୍ଥଳରେ ରହିବେ। ସେଥିରେ ଯୁବ କର୍ମୀମାନଙ୍କୁ ସମ୍ବୋଧନ କରିବା ସହିତ ଓଡ଼ିଶାକୁ ୧୭୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପ ଉପହାର ଦେବେ।
ମୁଖ୍ୟ ପ୍ରକଳ୍ପଗୁଡ଼ିକ:
- ବ୍ରହ୍ମପୁର–ସୁରଟ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ ଶୁଭାରମ୍ଭ
- ସମ୍ବଲପୁର ସିଟି–ସରଲା ରେଳ ଫ୍ଲାଇଓଭରର ଭିତ୍ତିପ୍ରସ୍ତର ସ୍ଥାପନ
- କୋରାପୁଟ–ବାଇଗୁଡ଼ା ରେଳ ଲାଇନର ଦୋହରୀକରଣ
- ମାନାବାର–କୋରାପୁଟ–ଗୋରାପୁର ରେଳ ଲାଇନର ଦୋହରୀକରଣ
ସୁରକ୍ଷାକର୍ମୀମାନେ ସହରର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରୁଥିବା ସହିତ ସଭାସ୍ଥଳରେ ସନ୍ଧାନୀ କୁକୁର ବ୍ୟବହାର କରି କଟକଟିଆ ଯାଞ୍ଚ କରୁଛନ୍ତି।