ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୭ ସେପ୍ଟେମ୍ବରରେ ବ୍ରହ୍ମପୁର ଗସ୍ତରେ ଆସୁଛନ୍ତି। ସେଠାରେ ଆୟୋଜିତ ବିଶାଳ ଜନସମାବେଶରେ ସେ ସାମିଲ ହେବେ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ଗସ୍ତକୁ ସ୍ପଷ୍ଟ କରିବା ପରେ ସ୍ଥାନୀୟ ରାଜନୀତିକ ପରିସ୍ଥିତି ଚଞ୍ଚଳ ହୋଇପଡ଼ିଛି।
ଗତ ସାଧାରଣ ନିର୍ବାଚନ ସମୟରେ ମୋଦୀଙ୍କ ବ୍ରହ୍ମପୁର ସଭା ପରେ ଫଳାଫଳରେ ବଡ଼ ପରିବର୍ତ୍ତନ ଦେଖିଥିଲା ଓଡ଼ିଶା। ଏଥରେ ମଧ୍ୟ ସେହି ଅଞ୍ଚଳରେ ମୋଦୀଙ୍କ ଆଗମନକୁ ନେଇ କର୍ମୀ ଓ ସମର୍ଥକମାନେ ଉତ୍ସାହିତ।
ପ୍ରଧାନମନ୍ତ୍ରୀ ପୂର୍ବରୁ ଓଡ଼ିଶା ଆସିଥିବା ପ୍ରତିଥରେ ରାଜ୍ୟ ପାଇଁ କୌଣସି ନ କୌଣସି ଉପହାର ଘୋଷଣା କରିଥିବାରୁ ଏଥର ମଧ୍ୟ କିଛି ବଡ଼ ଘୋଷଣା ହେବ ବୋଲି ଚର୍ଚ୍ଚା ଚାଲିଛି। ଯଦିଓ ଏନେଇ ଅଧିକୃତ ସୂଚନା ମିଳିନାହିଁ।
ଦକ୍ଷିଣ ଓଡ଼ିଶାକୁ ବିଜେପିର ନୂଆ ରାଜନୀତିକ କେନ୍ଦ୍ର ଭାବେ ଦେଖାଯାଇଥିବାରୁ ଏହି ଗସ୍ତରୁ ବିଜେପି ପାଇଁ ବଡ଼ ପରିଣାମ ଆଶା କରାଯାଉଛି।
ଏହା ସହିତ, ସେପ୍ଟେମ୍ବର ୧୭ରେ ମୋଦୀଙ୍କ ଜନ୍ମଦିନକୁ ନେଇ ସାରା ଦେଶରେ ସପ୍ତାହେ ବ୍ୟାପି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଓଡ଼ିଶାରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବା ସହ, ପ୍ରଧାନମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ ପାଇଁ ପାର୍ଟି ମହଳରେ ଉତ୍ସାହର ପରିବେଶ ରହିଛି।