ଭୁବନେଶ୍ୱର: ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଆଉଥରେ ସଙ୍କଟାପନ୍ନ ହୋଇଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ସେ ପୁଣିଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ତାଙ୍କ ସ୍ବାସ୍ଥ୍ୟ ସ୍ଥିତି ଅଧିକ ଖରାପ ହୋଇଛି।
ଚିକିତ୍ସକମାନେ କହିଛନ୍ତି ଯେ, ଅଭିଜିତ ମଜୁମଦାର ଅସେମୋଟିକ ଡେମିଲିନେସନ ସିଣ୍ଡ୍ରୋମ୍ ନାମକ ଏକ ସ୍ନାୟୁ ଜନିତ ରୋଗରେ ପୀଡିତ। ସେ ଏପର୍ଯ୍ୟନ୍ତ ଅଚେତ ଅବସ୍ଥାରେ ଅଛନ୍ତି ଏବଂ ସ୍ନାୟୁ ଜନିତ ସମସ୍ୟାରେ କୌଣସି ସୁଧାର ହୋଇନାହିଁ।
ତାଙ୍କର ଫୁସଫୁସରେ ନିମୋନିଆ ଓ ଜୀବାଣୁ ସଂକ୍ରମଣ ଚିହ୍ନଟ ହୋଇଛି। ଏହାସହ ରକ୍ତରେ ସଂକ୍ରମଣ, ପୁରୁଣା ଯକୃତ୍ ସମସ୍ୟା, ଭିଟାମିନ୍ ଡି ଓ ଫୋଲିକ ଏସିଡ୍ର ଅଭାବ ମଧ୍ୟ ଚିହ୍ନଟ ହୋଇଛି।
ଗତ ୨୫ ସେପ୍ଟେମ୍ବରରେ ତାଙ୍କୁ ମେଡିକାଲ ଆଇସିୟୁରୁ ମେଡିସିନ୍ ୱାର୍ଡକୁ ଅଣାଯାଇଥିଲା। କିନ୍ତୁ ଶନିବାର ହଠାତ୍ ସ୍ବାସ୍ଥ୍ୟ ଅବସ୍ଥା ଅବନତି ହେବା ପରେ ଡାକ୍ତରମାନେ ତାଙ୍କୁ ପୁଣିଥରେ ଆଇସିୟୁରେ ଭର୍ତ୍ତି କରିଛନ୍ତି।