ଭୁବନେଶ୍ୱର, ୧୮/୦୬: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୀଘ୍ର ମୁମ୍ବାଇ ଯାତ୍ରା କରି ସ୍ୱାସ୍ଥ୍ୟ ଚିକିତ୍ସା କରିବେ। ସେ ସ୍ୱୟଂ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ବାବଦରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିନ୍ତା ପ୍ରକାଶ କରି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
ନବୀନ ପଟ୍ଟନାୟକ କହିଛନ୍ତି ଯେ, ସେ ସର୍ଭିକାଲ ଆର୍ଥ୍ରାଇଟିସ୍ ରେ ପୀଡ଼ିତ, ଓ ଏହି ସମସ୍ୟାର ଚିକିତ୍ସା ପାଇଁ ମୁମ୍ବାଇସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲକୁ ଯିବେ। ତାଙ୍କ ବ୍ୟକ୍ତିଗତ ଡାକ୍ତର ଡ଼. ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ଚିକିତ୍ସା ସମ୍ପନ୍ନ ହେବ। ସେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଆ ଭାଇ-ଭଉଣୀଙ୍କ ଶୁଭେଚ୍ଛା ଚାହିଁଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଟୁଇଟ୍ କରି କହିଛନ୍ତି, “ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ବିଷୟରେ ଜାଣି ଚିନ୍ତିତ। ତାଙ୍କ ଚିକିତ୍ସା ଶୁଭ ଭାବେ ସମ୍ପନ୍ନ ହେଉ ଓ ସେ ଆଶୁ ଆରୋଗ୍ୟ ଲାଭ କରନ୍ତୁ ବୋଲି ମହାପ୍ରଭୁ ଜଗନ୍ନାଥଙ୍କ ଚରଣରେ ପ୍ରାର୍ଥନା କରୁଛି।”
ଏହି ଖବର ପ୍ରସାର ହେବା ପରେ ନବୀନଙ୍କ ଅନୁଗାମୀ ଓ ସମର୍ଥକମାନେ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ବ୍ୟକ୍ତ କରିଛନ୍ତି। ତାଙ୍କ ଚିକିତ୍ସା ଓ ଯାତ୍ରା ବାବଦରେ ଅଧିକ ତଥ୍ୟ ଶୀଘ୍ର ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
ନବୀନଙ୍କ ଉଦ୍ବୋଧନ:
“ମୁଁ ଶୀଘ୍ର ସୁସ୍ଥ ହୋଇ ଫେରି ଆସିବି। ଓଡ଼ିଶା ବାସୀଙ୍କ ସେବା ପାଇଁ ମୋ ଦୃଢ଼ ସଙ୍କଳ୍ପ ଅପରିବର୍ତ୍ତିତ ରହିଛି।” – ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା।