ଭୁବନେଶ୍ବର: କେନ୍ଦ୍ରୀୟ ବଜେଟ୍ ୨୦୨୬ ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳନେତା ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖି ଓଡ଼ିଶା ପାଇଁ ନିରାଶା ବ୍ୟକ୍ତ କରିଥିବା ସହ ରାଜ୍ୟରେ ସମର୍ପିତ ବିରଳ ମୃତ୍ତିକା (ରେୟାର ଆର୍ଥ) କରିଡର ପ୍ରତିଷ୍ଠା ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି।
ସାମାଜିକ ମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରି ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି, ଚଳିତ ବଜେଟ୍ରୁ ଓଡ଼ିଶା ଓ ରାଜ୍ୟବାସୀଙ୍କୁ ଉଲ୍ଲେଖନୀୟ ଲାଭ ମିଳିନାହିଁ। ଭିତ୍ତିଭୂମି ବିକାଶ, ନିଯୁକ୍ତି ସୃଷ୍ଟି ଓ ଅତିରିକ୍ତ ଆର୍ଥିକ ଆବଣ୍ଟନ ନେଇ ଲୋକଙ୍କ ଆଶା ପୂରଣ ହୋଇନଥିବା ବୋଲି ସେ ମତ ପ୍ରକାଶ କରିଛନ୍ତି।
ତେବେ ଓଡ଼ିଶାରେ ସମର୍ପିତ ରେୟାର ଆର୍ଥ କରିଡର ଗଠନ ପ୍ରସ୍ତାବକୁ ସେ ସକାରାତ୍ମକ ପଦକ୍ଷେପ ବୋଲି କହିଛନ୍ତି। ଓଡ଼ିଶା ଖଣିଜ ସମ୍ପଦରେ ସମୃଦ୍ଧ ରାଜ୍ୟ ହେବାରୁ ଏହା ଦେଶର ଶିଳ୍ପ ଓ ରାଷ୍ଟ୍ର ଗଠନରେ ଆଗାମୀଦିନରେ ଅଧିକ ଅବଦାନ ରଖିପାରିବ ବୋଲି ସେ ଉଲ୍ଲେଖ କରିଛନ୍ତି।
ଜାତୀୟ ଜଳପଥ ଘୋଷଣାକୁ ଉଲ୍ଲେଖ କରି ସେ କହିଛନ୍ତି, ଖଣିଜ ସମୃଦ୍ଧ ଅଞ୍ଚଳ ଓ ଶିଳ୍ପ କେନ୍ଦ୍ରଗୁଡ଼ିକୁ ବନ୍ଦର ସହିତ ସଂଯୋଗ କରିବା ପ୍ରସ୍ତାବ ପୁରୁଣା ହେଲେ ମଧ୍ୟ ଭୂମିସ୍ତରରେ ଗତି ଦେଖାଯାଇନାହିଁ।
ସେ ଆହୁରି କହିଛନ୍ତି, ସହରଗୁଡ଼ିକ ମଧ୍ୟରେ ଘୋଷିତ ସାତଟି ହାଇସ୍ପିଡ୍ ରେଳ କରିଡର ତାଲିକାରେ ଓଡ଼ିଶାକୁ ସ୍ଥାନ ନ ମିଳିବା ନିରାଶାଜନକ। ପର୍ଯ୍ୟଟନ କେନ୍ଦ୍ରିକ ବୌଦ୍ଧ ସର୍କିଟ ବିକାଶ ଯୋଜନାରେ ମଧ୍ୟ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ବୌଦ୍ଧ ସ୍ଥଳୀଗୁଡ଼ିକୁ ସାମିଲ କରାଯାଇନଥିବାରୁ ସେ ଅସନ୍ତୋଷ ଜଣାଇଛନ୍ତି।
କେନ୍ଦ୍ରୀୟ ବଜେଟ୍ରେ ରାଜ୍ୟର ପ୍ରାକୃତିକ ସମ୍ପଦ ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଲୋକସୁବିଧା ଓ ଉନ୍ନତି ପାଇଁ ପ୍ରୟାପ୍ତ ଆବଣ୍ଟନ ନ ଥିବାରୁ ରାଜ୍ୟ ସରକାର କେନ୍ଦ୍ରରୁ ନ୍ୟାୟସଂଗତ ଅଂଶ ଦାବି କରିବା ଆବଶ୍ୟକ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।





