ଭୁବନେଶ୍ୱର: ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ସକ୍ରିୟ ନକ୍ସଲ କାର୍ଯ୍ୟକଳାପକୁ ଆଜି ଏକ ବଡ଼ ଝଟକା ଲାଗିଛି। ଏଓବିଏସ୍ଜେଡ୍ସି (AOBSZC)ର ବରିଷ୍ଠ କମାଣ୍ଡର ଚେଲ୍ଲୁରି ନାରାୟଣ ରାଓ ଅର୍ଥାତ୍ ସୋମାନ୍ନା ସହ ୮ ଜଣ ନକ୍ସଲ ସଦସ୍ୟ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଆତ୍ମସମର୍ପଣ କରିଛନ୍ତି।
ଏହି ସମ୍ପର୍କରେ ଆନ୍ଧ୍ରପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ହରୀଶ କୁମାର ଗୁପ୍ତ ସୂଚନା ଦେଇ କହିଛନ୍ତି ଯେ, ସୋମାନ୍ନାଙ୍କ ଆତ୍ମସମର୍ପଣ ପରେ ଏଓବିଏସ୍ଜେଡ୍ସିର କାର୍ଯ୍ୟକଳାପ ପ୍ରାୟ ନିଷ୍ପ୍ରଭ ହୋଇପଡ଼ିଛି। ସେ କେନ୍ଦ୍ରୀୟ କମିଟି ସଦସ୍ୟ ଭାବେ ଏହି ସଂଗଠନକୁ ନେତୃତ୍ୱ ଦେଉଥିଲେ ଏବଂ ତାଙ୍କ ମୁଣ୍ଡଉପରେ ସରକାର ପକ୍ଷରୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ଥିଲା।
ସୋମାନ୍ନା ୨୦୧୮ରେ ବିଧାୟକ କିଦାରି ସର୍ବେଶ୍ୱର ରାଓ ଓ ଶିବେରୀ ସୋମେଶ୍ୱର ରାଓଙ୍କ ହତ୍ୟା ସହିତ ଅନେକ ଗୁରୁତର ଘଟଣାରେ ଜଡିତ ଥିବା ଅଭିଯୋଗ ରହିଛି। ସେପରି ୨୦୦୧ରେ ସିଆଇ ମୁଡ୍ଡାଡା ଗାନ୍ଧୀଙ୍କ ହତ୍ୟା ମାମଲାରେ ମଧ୍ୟ ସେ ମୁଖ୍ୟ ଅଭିଯୁକ୍ତ ଥିଲେ।
ଏହାସହ କର୍ତମ ଲଚ୍ଛୁ ନାମକ ଅନ୍ୟ ଜଣେ ବରିଷ୍ଠ ନକ୍ସଲ ସଦସ୍ୟ ମଧ୍ୟ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ମୁଣ୍ଡଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ଥିଲା। ସେ ୨୦୨୧ର ତେକ୍କୁଲାଗୁଡ଼ା ଆକ୍ରମଣ, ୨୦୨୩ର ଏଲାମାଗୁଣ୍ଡା ଓ ୨୦୨୪ର ଧରମଭରମ୍ ପୁଲିସ କ୍ୟାମ୍ପ ଆକ୍ରମଣ ସହିତ ଅନେକ ଘଟଣାରେ ଜଡିତ ଥିଲେ।
ପୁଲିସ ସୂଚନା ଅନୁଯାୟୀ, ଆତ୍ମସମର୍ପଣ ସମୟରେ ନକ୍ସଲମାନେ ଗୋଟିଏ ଇନ୍ସାସ୍ ରାଇଫଲ୍, ୨ଟି ବିଜିଏଲ୍ ଅସ୍ତ୍ର, ୫ଟି .303 ବନ୍ଧୁକ, ୫ଟି ଏସ୍ବିବିଏଲ୍, ୬ଟି ସିଙ୍ଗଲ୍ ସଟ୍ ରାଇଫଲ୍, ଗୁଳି ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।





