ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଦେଶରେ ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନାକୁ ଅନୁମୋଦନ ମିଳିଛି। ଏହି ପ୍ରସ୍ତାବ ଅନୁସାରେ ଓଡ଼ିଶାର ୬ଟି ସ୍ଥାନରେ ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି, ନୂତନ ବିଦ୍ୟାଳୟଗୁଡ଼ିକ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ନିଶ୍ଚିତ କରିବ। ଏହି ୫୭ଟି ବିଦ୍ୟାଳୟ ପାଇଁ ମୋଟ ୫୮୬୨.୫୫ କୋଟି ଟଙ୍କା ଖର୍ଚ୍ଚ ହେବ। ଯେଉଁଥିରେ ୨୫୮୫.୫୨ କୋଟି ଟଙ୍କା ପୁଞ୍ଜିଗତ ବ୍ୟୟ ଭାବେ ଏବଂ ୩୨୭୭.୦୩ କୋଟି ଟଙ୍କା ପରିଚାଳନା ପାଇଁ ବ୍ୟୟ ହେବ।
ବିଶେଷ କଥା, ଜାତୀୟ ଶିକ୍ଷା ନୀତି-୨୦୨୦ର କାର୍ଯ୍ୟକାରିତା ସ୍ୱରୂପ ପ୍ରଥମ ଥର ପାଇଁ ଏହି ବିଦ୍ୟାଳୟଗୁଡ଼ିକରେ ‘ବାଲ୍ ବାଟିକା’ ପାଇଁ ଅନୁମୋଦନ ମିଳିଛି। ‘ବାଲ୍ ବାଟିକା’ରେ ୩ ବର୍ଷ ଯାଏ ପ୍ରି-ପ୍ରାଇମେରୀ ବା ପ୍ରାରମ୍ଭିକ ଶିକ୍ଷା ପ୍ରଦାନ କରାଯିବ।
ଏହା ପୂର୍ବରୁ ୮୫ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାକୁ ମଞ୍ଜୁରୀ ମିଳିଥିଲା। ବର୍ତ୍ତମାନ ଅନୁମୋଦିତ ବିଦ୍ୟାଳୟଗୁଡ଼ିକ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ବଢ଼ୁଥିବା ଚାହିଦା ପୂରଣ ସହିତ ଦେଶବ୍ୟାପୀ ଗୁଣାତ୍ମକ ଶିକ୍ଷାକୁ ଆହୁରି ସୁଦୃଢ଼ କରିବ।