ଭୁବନେଶ୍ୱର: ଓଡ଼ିଶା ସରକାର ବୁଧବାର ହୋଇଥିବା କ୍ୟାବିନେଟ୍ ବୈଠକରେ ରାଜଧାନୀରେ ଏକ ଆଧୁନିକ ଓ ସମାବେଶୀ ‘ନୂତନ ସହର’ ପ୍ରକଳ୍ପ ପାଇଁ ଅନୁମୋଦନ ଦେଇଛି। ଗୋଠପାଟଣା, ମଳିମଳା ଓ ଦାଶପୁର ଅଞ୍ଚଳର ୮୦୦ ଏକର ଜମିରେ ଏହାକୁ ଗଠନ କରାଯିବ।
ଏହି ପ୍ରକଳ୍ପଟି ‘ବିକଶିତ ଓଡ଼ିଶା ୨୦୩୬’ ସହ ସମ୍ବନ୍ଧିତ ହୋଇ, ବହୁ-ଅର୍ଥନୀତିକ ବୃଦ୍ଧି କେନ୍ଦ୍ର ଭାବେ ତିଆରି ହେବ। ପରିବହନ-କେନ୍ଦ୍ରିତ ଯୋଜନା ଭାବରେ ଏହାକୁ ବିକାଶ କରାଯିବା ସହ, ସହଜ ସାର୍ବଜନୀକ ପରିବହନ, କମ୍ ଯାତ୍ରା ଦୂରତା ଓ ଜମି ବ୍ୟବହାରର ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯିବ।
ସମସ୍ତ ଆୟ ଶ୍ରେଣୀଙ୍କ ପାଇଁ ଆବାସ, ଆଧୁନିକ ସୁବିଧା (କାର୍ଯ୍ୟାଳୟ, ଡାଟା ସେଣ୍ଟର, ବୈଠକ ସ୍ଥଳ), ସାମାଜିକ ସ୍ଥାନ (ଫରେଷ୍ଟ ପାର୍କ, ଗେଟୱେ ପ୍ଲାଜା) ଏବଂ ଜଳବାୟୁ ସହନଶୀଳ ପ୍ରାଣାଳୀ ରହିବ।
ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ଏହାର ନୋଡାଲ ଏଜେନ୍ସି ଭାବେ କାମ କରିବ। ୨୦୨୫ ଜାନୁଆରୀରେ ସିଙ୍ଗାପୁର Surbana Jurong (SJl) ସହିତ ଚୁକ୍ତି କରାଯାଇଥିଲା, ଯାହା ମାଷ୍ଟର ପ୍ଲାନ ଓ ଭିତ୍ତିଭୂମି ବିକାଶରେ ପରାମର୍ଶ ଦେବ।
ମୋଟ ୮,୧୭୯ କୋଟି ଟଙ୍କାରେ ପ୍ରକଳ୍ପଟିକୁ କାର୍ଯ୍ୟାନୁଷ୍ଠାନ କରାଯିବ। ପ୍ରଥମ ୫ ବର୍ଷ (୨୦୨୫-୩୦) ପାଇଁ ୧,୩୪୨ କୋଟି ଟଙ୍କା ବଜେଟରୁ ବ୍ୟୟ ହେବ।