ଭୁବନେଶ୍ୱର: କଟକ–ସମ୍ବଲପୁର ମଧ୍ୟରେ ଥିବା ୫୫ ନମ୍ବର ଜାତୀୟ ରାଜପଥକୁ ୬ ଲେନ୍‌ରେ ପ୍ରଶସ୍ତ କରିବା ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ। ଏନେଇ ପୂର୍ତ୍ତ ବିଭାଗର ସମୀକ୍ଷା ବୈଠକରେ ଆଲୋଚନା ହୋଇଥିବା ସହ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରୟୋଜନୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଲୋକସେବା ଭବନରେ ଆୟୋଜିତ ବୈଠକରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ଓଡ଼ିଶାର ସମଗ୍ର ବିକାଶ ପାଇଁ ରାସ୍ତାଘାଟ ଓ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ତ୍ୱରିତ ବେଗରେ ଆଗକୁ ନେବା ଆବଶ୍ୟକ। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଲକ୍ଷ୍ୟ ପୂରଣ ପାଇଁ ଆଧୁନିକ ସଫ୍ଟୱେର ଓ ପ୍ରଯୁକ୍ତିକୁ ବ୍ୟବହାର କରି କାମର ଗତି ବଢ଼ାଇବାକୁ ସେ ଇଂଜିନିୟର ଓ ଅଧିକାରୀମାନଙ୍କୁ କହିଛନ୍ତି।

ମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, କେବଳ ବଡ଼ ସହରର ଉନ୍ନୟନ ନୁହେଁ, ରାଜ୍ୟର ସମସ୍ତ ଅଞ୍ଚଳ ସହର ସହିତ ସୁଦୃଢ଼ ଯୋଗାଯୋଗରେ ଆସିବା ଦରକାର। ଭୁବନେଶ୍ୱର ପରି କଟକ ସହର ପାଇଁ ମଧ୍ୟ ଆଉଟର ରିଙ୍ଗ୍‌ରୋଡ୍‌ ନିର୍ମାଣ ଯୋଜନା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଛି। ପଶ୍ଚିମ ଓଡ଼ିଶା–ପୂର୍ବ ଓଡ଼ିଶା ଯୋଗାଯୋଗ ସୁଦୃଢ଼ କରିବାକୁ କଟକ–ସମ୍ବଲପୁର ଏନଏଚ୍-୫୫ କୁ ୬ ଲେନ୍‌ କରିବା ପ୍ରସ୍ତାବ ଉଠିଛି।

ଏହାସହ ରାଜ୍ୟର ପ୍ରମୁଖ ରାଜ୍ୟ ରାଜପଥଗୁଡ଼ିକୁ ପର୍ଯ୍ୟାୟକ୍ରମେ ୪ ଲେନ୍‌ କରିବା ପାଇଁ ମଧ୍ୟ ସର୍ଭେ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ମିଳିଛି।

ବୈଠକରେ ଜୟଦେବ ବିହାର–ନନ୍ଦନକାନନ ରୋଡ୍‌, ଲେଫ୍ଟ ପାରାଲାଲ ରୋଡ୍‌, ପଥରଗାଡ଼ିଆ–ଦାରୁଠେଙ୍ଗ ରାସ୍ତା, କେଳୁଚରଣ–ଫୁଲନଖରା ରୋଡ୍‌, ପଳାଶୁଣି–ଗ୍ୟାରେଜ୍‌ ଛକ, ଆଚାର୍ଯ୍ୟ ବିହାର–କଳିଙ୍ଗ ହସ୍ପିଟାଲ୍‌ ରୋଡ୍‌ ଓ ଅନ୍ୟାନ୍ୟ ପ୍ରମୁଖ ସଡ଼କ ପ୍ରକଳ୍ପର ପ୍ରଶସ୍ତିକରଣ ଓ ଜମି ଅଧିଗ୍ରହଣ ନେଇ ମଧ୍ୟ ସମୀକ୍ଷା ହୋଇଥିଲା।

ଏହି ବୈଠକରେ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ, ଓବିସିସି ପରିଚାଳନା ନିର୍ଦ୍ଦେଶକ ଅନୁପମ ସାହା ସହିତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ଇଂଜିନିୟରମାନେ ଉପସ୍ଥିତ ଥିଲେ।