ଭୁବନେଶ୍ୱର, ୬ ଅକ୍ଟୋବର: ନୂଆପଡ଼ା ଉପନିର୍ବାଚନ ପାଇଁ ତାରିଖ ଅଧିକୃତ ଭାବେ ଘୋଷଣା ହୋଇଛି। ମୁଖ୍ୟ ନିର୍ବାଚନ କମିସନ ଆଜି ଘୋଷଣା କରିଛନ୍ତି ଯେ ନୂଆପଡ଼ା ବିଧାନସଭା ଆସନରେ ନଭେମ୍ବର ୧୧ ତାରିଖରେ ଭୋଟ ହେବ ଏବଂ ନଭେମ୍ବର ୧୪ ତାରିଖରେ ଗଣନା ସମ୍ପନ୍ନ ହେଇ ଫଳାଫଳ ଘୋଷଣା କରାଯିବ।
ଏହି ଉପନିର୍ବାଚନ ପାଇଁ ଅକ୍ଟୋବର ୧୩ରେ ବିଜ୍ଞପ୍ତି ପ୍ରକାଶିତ ହେବ। ପ୍ରାର୍ଥିପତ୍ର ଯାଞ୍ଚ ଅକ୍ଟୋବର ୨୨ରେ ହେବ ଓ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ରଖାଯାଇଛି ଅକ୍ଟୋବର ୨୪।
ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଅକାଳ ମୃତ୍ୟୁ ପରେ ଏହି ଆସନ ଖାଲି ହୋଇଥିଲା। ଏବେ ଉପନିର୍ବାଚନ ଘୋଷଣା ପରେ ସମସ୍ତଙ୍କ ଦୃଷ୍ଟି ରହିଛି କେଉଁ ଦଳ କାହାକୁ ପ୍ରାର୍ଥୀ କରିବ। ରାଜେନ୍ଦ୍ର ଢୋଲକିଆଙ୍କ ପୁଅଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି।
ଏହି ଉପନିର୍ବାଚନ ବିଜେପି ସରକାର ଆସିବା ପରେ ପ୍ରଥମ ଥିବାରୁ ଦଳ ପାଇଁ ଏହା ଗୌରବ ଓ ପ୍ରତିଷ୍ଠାର ଲଢେଇ ବୋଲି ମନାଯାଉଛି।
ଏହି ସହ ମୁଖ୍ୟ ନିର୍ବାଚନ କମିସନ ବିହାରରେ ମଧ୍ୟ ଦୁଇ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି — ନଭେମ୍ବର ୬ ଓ ୧୧ରେ ମତଦାନ ହେବ ଏବଂ ଫଳାଫଳ ନଭେମ୍ବର ୧୪ରେ ଆସିବ।
ବିହାର ନିର୍ବାଚନ ପାଇଁ ମୋଟ ୯୦,୧୭୨ଟି ପୋଲିଂ ସ୍ଟେସନ ସ୍ଥାପନ ହେବ — ଯେଉଁଥିରୁ ସହରରେ ୧୩,୯୧୧ ଓ ଗ୍ରାମାଞ୍ଚଳରେ ୭୬,୮୦୧ଟି। ପ୍ରତ୍ୟେକ ପୋଲିଂ ସ୍ଟେସନରେ ସରାସରି ୮୧୮ ଜଣ ଭୋଟର ଭୋଟ ଦେବେ। ସମସ୍ତ ପୋଲିଂ ସ୍ଟେସନରେ ୱେବ କାଷ୍ଟିଂ ସିଷ୍ଟମ୍ ରହିବ ଏବଂ ଫେକ୍ ନ୍ୟୁଜ, ଟଙ୍କା ଓ ମଦ ବଣ୍ଟନ ଉପରେ ନିର୍ବାଚନ ଆୟୋଗ ତୀକ୍ଷ୍ଣ ନଜର ରଖିବ।