ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ହୋଇଥିବା ମତଦାନ ଶାନ୍ତିପୂର୍ଣ୍ଣ ଭାବରେ ସମାପ୍ତ ହୋଇଛି। ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହୋଇଥିବା ମତଦାନରେ ସମଗ୍ର ନିର୍ବାଚନ ମଣ୍ଡଳୀରେ ୭୫.୩୭% ମତଦାନ ହୋଇଛି। ସମୟ ଶେଷ ହେବା ସତ୍ତେ ମଧ୍ୟ ବୁଥ ପରିସର ଭିତରେ ଥିବା ମତଦାତାମାନେ ଅଧାପତି ଭୋଟ ଦେଉଛନ୍ତି। ସନ୍ଧ୍ୟା ୭ଟା ପୂର୍ବରୁ ମତଦାନ ପୁରା ଶେଷ ହେବ ବୋଲି ଆଶା କରାଯାଇଛି।

ଦୁର୍ଗମ ଏବଂ ମାଓ ଅଧ୍ୟୁଷିତ ଅଞ୍ଚଳ ‘ସୁନାବେଡ଼ା’ ଅଭୟାରଣ୍ୟ ଭିତରେ ରହିଥିବା ୮ଟି ବୁଥରେ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବରେ ଭୋଟିଂ ହୋଇଛି। ଏହି ସ୍ଥାନଗୁଡ଼ିକରେ ମାଓବାଦୀ ଆକ୍ରମଣ ଭୟ ଥିବାରୁ ପୋଲିଂ କର୍ମଚାରୀମାନଙ୍କୁ ହେଲିକପ୍ଟର ମାଧ୍ୟମରେ ପହଞ୍ଚାଯାଇଥିଲା। ଭୋଟିଂ ସମାପ୍ତ ପରେ, ଇଭିଏମ୍ ମେସିନଗୁଡ଼ିକୁ ସୁରକ୍ଷିତ ଭାବେ ଷ୍ଟ୍ରଙ୍ଗ ରୁମ୍‌କୁ ପହଞ୍ଚାଯାଇଛି।

ସମୟାନୁସାରେ ମତଦାନ ହାର:

  • ପୁର୍ବାହ୍ଣ ୯ଟା ସୁଦ୍ଧା: ୧୪.୯୯%
  • ପୁର୍ବାହ୍ଣ ୧୧ଟା ସୁଦ୍ଧା: ୩୧.୨୫%
  • ଅପରାହ୍ଣ ୧ଟା ସୁଦ୍ଧା: ୫୧.୨୬%
  • ଅପରାହ୍ଣ ୩ଟା ସୁଦ୍ଧା: ୬୫.୨୦%
  • ଅପରାହ୍ଣ ୫ଟା ସୁଦ୍ଧା: ୭୨.୩୧%
  • ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ: ୭୫.୩୭%

ନୂଆପଡ଼ା ଆସନର ପରିସ୍ଥିତି:

ନୂଆପଡ଼ା ଉପନିର୍ବାଚନରେ ମୋଟ ୧୧ ଜଣ ପ୍ରାର୍ଥୀ ମଧ୍ୟରେ ତ୍ରିମୁଖୀ ଲଢ଼େଇ ଦେଖାଯାଉଛି। ବିଜେପି ପକ୍ଷରୁ ଜୟ ଢୋଲକିଆ, ବିଜେଡି ପକ୍ଷରୁ ସ୍ନେହାଙ୍ଗୀନୀ ଛୁରିଆ ଏବଂ କଂଗ୍ରେସ ପକ୍ଷରୁ ଘାସିରାମ ମାଝୀ ପ୍ରାର୍ଥୀତା ଦେଇଛନ୍ତି। ମୋଟ ୩୫୮ ଟି ମତଦାନ କେନ୍ଦ୍ରରୁ ୪୭ଟି ସମ୍ବେଦନଶୀଳ ଏବଂ ୮ଟି ଅତି ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ ହୋଇଛି।

ନୂଆପଡ଼ା ମଣ୍ଡଳୀରେ ମୋଟ ୨ ଲକ୍ଷ ୫୩ ହଜାର ୬୨୪ ଜଣ ମତଦାତା ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୧.୨୪ ଲକ୍ଷ ପୁରୁଷ, ୧.୨୯ ଲକ୍ଷ ମହିଳା ଏବଂ ୩,୯୮୮ ଭିନ୍ନକ୍ଷମ ମତଦାତା ରହିଛନ୍ତି।