ଭୁବନେଶ୍ୱର, ୬ ଅକ୍ଟୋବର: ଆସନ୍ତା ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଥମେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ ଏହି ଉପନିର୍ବାଚନ ପାଇଁ ଘାସିରାମ ମାଝୀଙ୍କୁ ଅଧିକାରିକ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଏଆଇସିସି ପକ୍ଷରୁ ଆଜି ଏହି ସମ୍ପର୍କରେ ଅଧିକାରିକ ବିଜ୍ଞପ୍ତି ପ୍ରକାଶ ହୋଇଛି।
ନଭେମ୍ବର ୧୧ରେ ହେବାକୁ ଥିବା ଉପନିର୍ବାଚନ ପାଇଁ କଂଗ୍ରେସ ପୂର୍ବପଟୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ନୂଆପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଥିବା ଘାସିରାମ ମାଝୀଙ୍କୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସୁପାରିଶରେ ପ୍ରାର୍ଥୀ ଭାବେ ନାମ ଦେଇଥିଲେ। ପିସିସିର ରାଜନୈତିକ ବ୍ୟାପାର କମିଟିର ସର୍ବସମ୍ମତ ସୁପାରିଶ ପରେ ଏଆଇସିସି ଏହାକୁ ମଞ୍ଜୁରି ଦେଇଛି। ନାମ ଘୋଷଣା ପରେ ଦଳୀୟ ମହଲରେ ଆନନ୍ଦ ପରିବେଶ ସୃଷ୍ଟି ହୋଇଛି।
ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ା ଆସନ ଖାଲି ହୋଇଥିଲା। ଏହି ଉପନିର୍ବାଚନକୁ ନେଇ ରାଜନୈତିକ ଉତ୍ସୁକତା ବଢ଼ିଯାଇଛି। ଘାସିରାମ ମାଝୀ ପୂର୍ବରୁ ୨୦୧୪, ୨୦୧୯ ଓ ୨୦୨୪ ନିର୍ବାଚନରେ ଏହି ଆସନରୁ ଲଢ଼ିଥିଲେ। ୨୦୨୪ରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢି ୫୦ ହଜାର ୯୪୧ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ।
କଂଗ୍ରେସ ନେତା ଭକ୍ତ ଚରଣ ଦାସ କହିଛନ୍ତି, “ଘାସିରାମ ମାଝୀଙ୍କ ଲୋକପ୍ରିୟତା ଓ ଗତ ନିର୍ବାଚନରେ ପାଇଥିବା ଭୋଟ ଦୃଷ୍ଟିରୁ ଏଥର ଜିତିବା ସମ୍ଭାବନା ଅଧିକ।”
ଅନ୍ୟପକ୍ଷରେ, ବିଜେଡି ଓ ବିଜେପି ଏପର୍ଯ୍ୟନ୍ତ ତାଙ୍କ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ନୂଆପଡ଼ା ବିଧାନସଭା କ୍ଷେତ୍ର କଳାହାଣ୍ଡି ଲୋକସଭା ଅଂଶ ହେବାରୁ ପିସିସି ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ଆଗୁଆ ଥିବା ସ୍ପଷ୍ଟ ହୋଇଛି।