ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ଏକ ସାଂଘାତିକ ଅଭିଯୋଗ ଆସିଛି। ଅଭିଯୋଗ ଅନୁଯାୟୀ, ନୂଆପଡ଼ା ଅଞ୍ଚଳର ୨୫୦ ନମ୍ବର ବୁଥରେ ଯାହାକୁ ଭୋଟ ଦିଆଯାଉଛି, ସେହି ଭୋଟ ବିଜେପି ପ୍ରାର୍ଥୀଙ୍କ ପାଖକୁ ଯାଉଛି ବୋଲି ଭୋଟରମାନେ ଦାବି କରିଛନ୍ତି। ଏହି ଅଭିଯୋଗକୁ ନେଇ ବୁଥ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିବା ସୂଚନା ମିଳିଛି। ଏହାପରେ ଭୋଟ ଗ୍ରହଣ ପ୍ରକ୍ରିୟାକୁ ସାମୟିକ ଭାବେ ବନ୍ଦ କରାଯାଇଛି।

ସ୍ଥାନୀୟ ସ୍ତରରେ ଭୋଟରମାନେ ଦାବି କରିଛନ୍ତି ଯେ, ଭୋଟିଂ ମେସିନରେ ତ୍ରୁଟି ଥିବାରୁ ଯାହାକୁ ଭୋଟ ଦେଲେ ମଧ୍ୟ ସେହି ଭୋଟ ବିଜେପିକୁ ଯାଉଛି। ଏହାକୁ ନେଇ କିଛି ଭୋଟର ଭୋଟ ଦେବାରୁ ମନା କରିଛନ୍ତି। ଜଣେ ଭୋଟର କହିଛନ୍ତି, “ଆମେ ଆମ ପସନ୍ଦର ନେତାକୁ ବାଛିପାରୁ ନାହିଁ, ଭୋଟ ଚୋରି ହେଉଛି, ସେଥିପାଇଁ ଆମେ ଭୋଟ ଦେବୁ ନାହିଁ।”

ଘଟଣା ସ୍ଥଳରେ ପୋଲିସ ଓ ନିର୍ବାଚନ କର୍ମଚାରୀମାନେ ପହଞ୍ଚି ପରିସ୍ଥିତିକୁ ସାମାଲିବା ପ୍ରୟାସ କରୁଛନ୍ତି। ଘଟଣା ସମ୍ପର୍କରେ ନିର୍ବାଚନ ଅଧିକାରୀମାନେ ଯାଞ୍ଚ ଆରମ୍ଭ କରିଛନ୍ତି ଓ ମେସିନ ସମ୍ପର୍କରେ ପୂରା ତଦନ୍ତ ହେବାକୁ ଯାଉଛି।