ଭୁବନେଶ୍ୱର: ଭୁବନେଶ୍ୱର ମୁନିସିପାଲ କର୍ପୋରେସନ (BMC) ଅଧିକାରୀ ଉପରେ ଆକ୍ରମଣ ଘଟଣାକୁ ନେଇ ରାଜ୍ୟରେ ଚର୍ଚ୍ଚାର ମଧ୍ୟରେ ରହୁଥିବା ବେଳେ, ଶେଷରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ହୋଇଛନ୍ତି। ଗତ ରାତିରେ ସେ ଡିସିପି କାର୍ଯ୍ୟାଳୟରେ ଆତ୍ମସର୍ପଣ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ପରେ ତାଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇ ଝାରପଡ଼ା ଜେଲକୁ ପଠାଯାଇଛି।
ଏହି ଗିରଫ ପରେ OAS ସଂଘ ତାଙ୍କ ଆନ୍ଦୋଳନ ପ୍ରତ୍ୟାହାର କରିବା ଘୋଷଣା କରିଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ଆସନ୍ତାକାଲି ଠାରୁ ସମସ୍ତ OAS ଅଫିସର କାର୍ଯ୍ୟଭାର ନେବେ। ଏହାପୂର୍ବରୁ ସଂଘ ଘୋଷଣା କରିଥିଲା ଯେ, ଯେପର୍ଯ୍ୟନ୍ତ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯିବ ନାହିଁ, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।
DCP ଅଫିସକୁ ଯିବା ପୂର୍ବରୁ ଗଣମାଧ୍ୟମ ସାମ୍ନାରେ ଜଗା ପ୍ରଧାନ କହିଥିଲେ, ଗତ ୩୦ ଜୁନ ତାରିଖ ଦିନ BMC ର ଅତିରିକ୍ତ କମିଶନର ଉପରେ ହୋଇଥିବା ଆକ୍ରମଣ ଘଟଣା ଦୁଃଖଦ ଓ ନିନ୍ଦାନୀୟ। ସେ କହିଛନ୍ତି, ଏହି ଘଟଣାରେ ତାଙ୍କ ସଂପୃକ୍ତି ନାହିଁ, କିନ୍ତୁ ତାଙ୍କୁ ଓ ତାଙ୍କ ଦଳକୁ ବଦନାମ କରିବା ଉଦ୍ଦେଶ୍ୟରେ ଯୋଜନାବଦ୍ଧ ଭାବେ ଏହି ଅଭିଯୋଗ ଆଣାଯାଇଛି।
ସେ ଅଧିକ କହିଛନ୍ତି, ଏହି ଆନ୍ଦୋଳନ ଫଳରେ ବନ୍ୟା ପୀଡ଼ିତ ଲୋକଙ୍କ ସହାୟତା କାର୍ଯ୍ୟ, କ୍ଷତିପୂରଣ ଆବଣ୍ଟନ ଓ ରଥଯାତ୍ରା ପାଇଁ ଆବଶ୍ୟକ ପ୍ରସ୍ତୁତି ବିପର୍ଯ୍ୟସ୍ତ ହେଉଥିଲା। ତେଣୁ ଓଡ଼ିଶାର ଲୋକଙ୍କ ସ୍ୱାର୍ଥ ଓ ସମ୍ମାନ ଦୃଷ୍ଟିରୁ ସେ ଏହି ଘଟଣାର ତଦନ୍ତରେ ସହଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି।