ଜଳେଶ୍ୱର: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜଳେଶ୍ଵର ଅଞ୍ଚଳର ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ରାଜ୍ୟ ଓ ଦେଶ ଜୁଡ଼ା ଚର୍ଚ୍ଚା ସୃଷ୍ଟି କରିଛି। ଘଟଣା ପରେ ପୀଡ଼ିତାଙ୍କ ବାପା ମାଧ୍ୟମମାନଙ୍କ ସମ୍ମୁଖରେ ତୀବ୍ର ପ୍ରତିକ୍ରିୟା ଜଣାଇଛନ୍ତି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି।
ସେ କହିଛନ୍ତି, “ଓଡ଼ିଶା ହୋଇଥାନ୍ତା ତେବେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହୋଇସାରିଥାନ୍ତା। ଏଠି କେହି ଆମ ସହ କଥା ହେଉନାହାନ୍ତି, ସହଯୋଗ ମଧ୍ୟ ମିଳୁନାହିଁ।” ସେ ଅଭିଯୋଗ କରିଛନ୍ତି ଯେ ମେଡିକାଲ ପରିସରରେ କୋଣସି ସୁରକ୍ଷା ବ୍ୟବସ୍ଥା ନାହିଁ ଓ ଘଟଣା ରାତି ୮ଟାରୁ ୯ଟା ମଧ୍ୟରେ ଘଟିଥିଲା। ସେଠାରେ ୬ରୁ ୭ଜଣ ଅଜ୍ଞାତ ଯୁବକ ଝିଅକୁ ହଇରାଣ କରି ତାଙ୍କର ମୋବାଇଲ ଛିନିନେଇ ତିନି ହଜାର ଟଙ୍କା ଦାବି କରିଥିଲେ।
ଘଟଣା ପରେ ମେଡିକାଲ କଲେଜର ଛାତ୍ରଛାତ୍ରୀମାନେ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବିରେ ଧାରଣା ଦେଇଛନ୍ତି। ଆରଜି କର୍ ମେଡିକାଲ କଲେଜ ଘଟଣା ଅଭିଯୋଗ ଶାନ୍ତ ହେବା ପୂର୍ବରୁ ପୁଣି ଦୁର୍ଗାପୁରର ଏହି ଘଟଣା ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ ପ୍ରଶ୍ନଚିହ୍ନ ରଖିଛି।
ସୂଚନା ଅନୁଯାୟୀ, ଛାତ୍ରୀ ଜଣେ ଶୁକ୍ରବାର ରାତି ସାଢେ ୮ଟା ବେଳେ ତାଙ୍କ ପୁରୁଷ ବନ୍ଧୁ ସହ ମେଡିକାଲ କ୍ୟାମ୍ପସ୍ ବାହାର ଏକ କ୍ୟାଣ୍ଟିନକୁ ଯାଇଥିଲେ। ଫେରିବା ସମୟରେ ୪ରୁ ୫ ଜଣ ଯୁବକ ତାଙ୍କୁ ଟାଣିନେଇ କଲେଜ ଓ ହସ୍ପିଟାଲ ପଛପଟେ ଥିବା ଶୂନଶାନ ଅଞ୍ଚଳରେ ଗଣଦୁଷ୍କର୍ମ କରିଥିଲେ।
ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ଚିକିତ୍ସା ଚାଲିଛି। ଦୁର୍ଗାପୁର ପୁଲିସ ତଦନ୍ତ ଆରମ୍ଭ କରିଛି ଓ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି। ଜାତୀୟ ମହିଳା କମିଶନ ଟିମ୍ ମଧ୍ୟ ଘଟଣାସ୍ଥଳ ଅଭିମୁଖେ ଯାଇଛି।
ଏହି ଘଟଣା ନେଇ ସାଧାରଣ ଲୋକ, ଛାତ୍ରସଂଘ ଓ ମହିଳା ସଂଗଠନମାନେ ପଶ୍ଚିମବଙ୍ଗ ସରକାରଙ୍କ ନିର୍ବିକଳ୍ପ ଭୂମିକାକୁ ନେଇ ତୀବ୍ର ଅସନ୍ତୋଷ ଜଣାଇଛନ୍ତି।