ଭୁବନେଶ୍ୱର, ୧୯ ଅଗଷ୍ଟ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ନୂଆଦିଲ୍ଲୀରେ ନିର୍ମାଣାଧୀନ ନୂତନ ଓଡ଼ିଶା ଭବନ କାର୍ଯ୍ୟର ସମୀକ୍ଷା କରିଥିଲେ। ସେଥିରେ ସେ ଅଯୋଧ୍ୟା, ହାଇଦ୍ରାବାଦ ଓ ସୁରଟରେ ଓଡ଼ିଶା ଭବନ ନିର୍ମାଣ ପାଇଁ ପରାମର୍ଶ ଦେଇଛନ୍ତି।

ନୂଆଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ପୁନଃନିର୍ମାଣ ହେଉଥିବା G+6 ଭବନରେ ୪୫ଟି ସୁଇଟ୍ ସହିତ ଏକ ସମ୍ମିଳନୀ କକ୍ଷ ରହିବ। ଭବନରେ ଓଡ଼ିଶାର ପ୍ରସ୍ତର କାରୁକାର୍ଯ୍ୟ, ସମ୍ବଲପୁରୀ ଇକତ୍, ପରମ୍ପରା ଓ ସଂସ୍କୃତିର ଝଲକ ପ୍ରତିଫଳିତ କରିବାକୁ ମୁଖ୍ୟମନ୍ତ୍ରୀ ଆର୍କିଟେକ୍ଟଙ୍କୁ ପରାମର୍ଶ ଦେଇଛନ୍ତି।

ସେହିପରି, ମୁଖ୍ୟମନ୍ତ୍ରୀ ମୁମ୍ବାଇ ଓଡ଼ିଶା ଭବନରେ ଅଧିକ କୋଠା ଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, କାରଣ ଓଡ଼ିଶାରୁ ବହୁଳ ସଂଖ୍ୟକ କ୍ୟାନ୍ସର ରୋଗୀ ସେଠାକୁ ଚିକିତ୍ସା ପାଇଁ ଯାଆନ୍ତି।

ଏହା ସହିତ କୋଲକାତା ଉତ୍କଳ ଭବନର ନବୀକରଣ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି।

ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ମିଶ୍ର ଓ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଉପସ୍ଥିତ ଥିଲେ।