ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍ରେ ଶୁକ୍ରବାର ଦିନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ୮ଟି ବିଭାଗ ସମ୍ବନ୍ଧୀୟ ମୋଟ ୧୧ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ତିନିଟି ପ୍ରମୁଖ ସହର—ଭୁବନେଶ୍ବର, ବ୍ରହ୍ମପୁର ଓ ସମ୍ବଲପୁରରେ ବିଶ୍ୱ ଦକ୍ଷତା କେନ୍ଦ୍ର (World Skill Centre) ନିର୍ମାଣ କରାଯିବ। ଏହା ମାଧ୍ୟମରେ ଯୁବପିଢ଼ିଙ୍କୁ ଆଧୁନିକ ଓ ଆନ୍ତର୍ଜାତୀୟ ମାନଦଣ୍ଡର ଦକ୍ଷତା ପ୍ରଶିକ୍ଷଣ ଦିଆଯିବ।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଗୋପାଳପୁରରେ ଟାଟା ସୋଲାର ସେଟ୍ ଉତ୍ପାଦନ ପ୍ରକଳ୍ପ ସ୍ଥାପନ ପାଇଁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଏହି ପ୍ରକଳ୍ପରେ ପ୍ରାୟ ୧୦,୦୦୦ କୋଟି ଟଙ୍କାର ନିବେଶ ହେବ ଏବଂ ଏହା ମାଧ୍ୟମରେ ପ୍ରାୟ ୫ ହଜାର ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି।
ଏହା ସହିତ ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ ଓ ଖାଦ୍ୟ ପ୍ରତ୍ସାହନକୁ ମଜବୁତ କରିବା ପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥାକୁ ମଧ୍ୟ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଏହି ସମସ୍ତ ନିଷ୍ପତ୍ତି ରାଜ୍ୟର ଔଦ୍ୟୋଗିକ ବିକାଶ, ନିଯୁକ୍ତି ସୃଷ୍ଟି ଓ ଦକ୍ଷତା ବିକାଶକୁ ନୂତନ ଗତି ଦେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।





