ଭୁବନେଶ୍ୱର, ୭ ଅକ୍ଟୋବର: ରାଜ୍ୟ କ୍ୟାବିନେଟ୍‌ର ୨୯ତମ ବୈଠକରେ ମୋଟ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ୪ଟି ବିଭାଗର ୫ଟି ମହତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ପରେ ଅନୁମୋଦନ ଦିଆଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ତାଙ୍କ କହିବା ଅନୁସାରେ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଗୋଟିଏ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଗୋଟିଏ, ବାଣିଜ୍ୟ ଓ ପରିବହନ ବିଭାଗର ଗୋଟିଏ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ଦୁଇଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ଇ-ବସ୍‌ ଯୋଜନାର ଆରମ୍ଭ

ଅନୁଗୁଳ, ଝାରସୁଗୁଡ଼ା, କେଉଁଝର ଓ ବାରିପଦାରେ ପ୍ରଥମ ପର୍ଯ୍ୟାୟରେ ୨୫ଟି କରି ନୂଆ ଇ-ବସ୍‌ ଚାଲିବ। ବ୍ରହ୍ମପୁର ଓ ସମ୍ବଲପୁରରେ ୫୦ଟି କରି ବସ୍‌ ଚାଲିବ। ସମୁଦାୟ ଯୋଜନାରେ ଆଗାମୀ ୧୦ ବର୍ଷ ପାଇଁ ୨୦୦ ଇ-ବସ୍‌ ଚାଳନ ହେବ। ଏହା ପାଇଁ ୯୫୨.୫୬ କୋଟି ଟଙ୍କା ବ୍ୟୟ ହେବ।

କୃଷି ଓ ପ୍ରାଣୀ ସଂପଦ ଯୋଜନାକୁ ଅନୁମୋଦନ

ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ଅନ୍ତର୍ଗତ “କ୍ଷୁଦ୍ର ପ୍ରାଣୀ ଉନ୍ନୟନ ଉପଯୋଜନା” ପାଇଁ ୨୯୪.୩୬ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହା ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ ଚାଲିବ ଏବଂ ୨୩,୭୩୫ କୃଷକ ଏହାରୁ ଉପକୃତ ହେବେ। ଯୋଜନା ଦ୍ୱାରା ମାଛ ଓ ମାଂସ ଉତ୍ପାଦନ ବୃଦ୍ଧି ପାଇବ। ସେହିଭଳି ଫସଲ ବିବିଧିକରଣ ପାଇଁ ୩ ବର୍ଷରେ ୧୫୨୩.୯୮ କୋଟି ଟଙ୍କା ଖର୍ଚ୍ଚ ହେବ।

ବିମାନ ଆଧୁନୀକରଣରେ ନୂଆ ପଦକ୍ଷେପ

ବିମାନ ଚଳାଚଳ ଓ ଭିତ୍ତିଭୂମି ବିକାଶ ପାଇଁ ମଧ୍ୟ ଏକ ନୂଆ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ଯୋଜନା ପାଇଁ ମୋଟ ୪.୧୮୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏଥିରେ ବିମାନ ସଂଯୋଗ, ରକ୍ଷଣାବେକ୍ଷଣ, ମରାମତି, କର୍ଗୋ ଓ ଲଜେଷ୍ଟିକ ବିକାଶ ସହିତ ନୂତନ ପ୍ରଯୁକ୍ତି ଅନୁପ୍ରବେଶ ମଧ୍ୟ ଅନ୍ତର୍ଭୁକ୍ତ ହେବ।