ଭୁବନେଶ୍ବର: ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ଓଡ଼ିଶା କ୍ୟାବିନେଟ ବୈଠକରେ ୫ଟି ପ୍ରସ୍ତାବ ମଧ୍ୟରୁ ୪ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏଥିରେ ସହର ବିକାଶ ଯୋଜନା, ଜୈବ ପ୍ରଯୁକ୍ତି ବିକାଶ, ଜଳସେଚନ ପ୍ରକଳ୍ପ ଓ ଜମି ଛାଡ଼ ସହିତ ସଂପୃକ୍ତ ପ୍ରସ୍ତାବ ଅନ୍ତର୍ଭୁକ୍ତ ଅଛି। ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି।

ସରକାର ଅନୁମୋଦିତ ସହର ବିକାଶ ଯୋଜନା ଅନୁଯାୟୀ ବିଭିନ୍ନ ସାଧାରଣ ଓ ରାଜସ୍ୱ ଉତ୍ପାଦନ ଭିତ୍ତିଭୂମିର ବିକାଶ କରାଯିବ। ଏଥିରେ କଲ୍ୟାଣମଣ୍ଡପ, ବହୁମୁଖୀ ସଭା ଗୃହ, ଟାଉନ ହଲ୍, ଶ୍ମଶାନ, ମାର୍କେଟ ପରିସର, ରାସ୍ତା, ଡ୍ରେନ୍, ପାର୍କ, ବାଣିଜ୍ୟିକ ପରିସର, ଭେଣ୍ଡିଂ ଜୋନ, ଚାର୍ଜିଂ ଷ୍ଟେସନ, ପାର୍କିଂ ସ୍ଥାନ, ଓ ଛୋଟ ପର୍ଯ୍ୟଟନ ସ୍ଥଳୀ ଆଦିର ବିକାଶ ଅନ୍ତର୍ଭୁକ୍ତ ରହିଛି।

ଏହା ସହିତ, ରାଜ୍ୟ ସରକାର ଜୈବ ପ୍ରଯୁକ୍ତି ବିଜ୍ଞାନ ବିକାଶ ଯୋଜନାକୁ ପାଞ୍ଚ ବର୍ଷ ପାଇଁ ମଞ୍ଜୁରି ଦେଇଛି, ଯାହାରେ ୧୧୧୩ କୋଟି ଟଙ୍କା ଖର୍ଚ୍ଚ ହେବ।

ଅନ୍ୟ ପ୍ରସ୍ତାବ ଅନୁଯାୟୀ, ଛେଳିଗଡ଼ ଜଳସେଚନ ପ୍ରକଳ୍ପରେ ୧୫୧ କୋଟି ଟଙ୍କା ବ୍ୟୟରେ କଂକ୍ରିଟ ଡ୍ୟାମ୍ ଓ ସ୍ପିଲ୍ୱେ ନିର୍ମାଣ କରାଯିବ। ଏହା ମାଧ୍ୟମରେ ୬୨୬୦ ଏକର ଜମିକୁ ସିଚାଇ ସୁବିଧା ମିଳିବ।

ତଦୁପରି, ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଆବଣ୍ଟିତ ଜମି ଛାଡ଼ ପାଇଁ ୨ ଲକ୍ଷ ୬୦ ହଜାର କୋଟି ଟଙ୍କାର ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରି ଦେଇଛି।