ଭୁବନେଶ୍ୱର: ରାଜ୍ୟରେ ପର୍ଯ୍ୟଟନକୁ ନୂତନ ମାତ୍ରା ଦେବା ଲକ୍ଷ୍ୟରେ କାରାଭାନ ଟୁରିଜିମ୍‌ ସେବାର ଆରମ୍ଭ ହୋଇଛି। ଧଉଳିର ଶାନ୍ତିସ୍ତୂପ ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପର୍ଯ୍ୟଟନ କାରାଭାନକୁ ଲୋକାର୍ପିତ କରିଛନ୍ତି। ଏହି ସେବା ମାଧ୍ୟମରେ ପର୍ଯ୍ୟଟକମାନେ ନିଜ ସୁବିଧା ଓ ସମୟ ଅନୁଯାୟୀ ସ୍ୱଚ୍ଛନ୍ଦ ଭାବେ ଭ୍ରମଣ କରିପାରିବେ।

କାରାଭାନ ଯାତ୍ରା ଦ୍ୱାରା ପରିବାର ଓ ବନ୍ଧୁମାନଙ୍କ ସହ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଯାଇ ସ୍ଥାନୀୟ ଖାଦ୍ୟ, ସଂସ୍କୃତି ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଅନୁଭବ ନେବାର ସୁଯୋଗ ମିଳିବ। ଲୋକାର୍ପଣ ଅବସରରେ ଉପମୁଖ୍ୟମନ୍ତ୍ରୀ କହିଥିଲେ, ୟୁରୋପରେ ଏପରି କାରାଭାନ ଭ୍ରମଣ ବହୁତ ଲୋକପ୍ରିୟ ଏବଂ ଓଡ଼ିଶାରେ ଏହା ଯୁବ ଓ ସାହସିକ ପର୍ଯ୍ୟଟକଙ୍କୁ ବିଶେଷ ଆକର୍ଷିତ କରିବ। ପ୍ରାକୃତିକ ଓ ଶାନ୍ତ ପରିବେଶ ଥିବା ସ୍ଥାନଗୁଡ଼ିକରେ ଏହି ଯାତ୍ରା ନୂଆ ଅନୁଭୂତି ଦେବ ବୋଲି ସେ କହିଛନ୍ତି।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର–ଏକାମ୍ର ବିଧାୟକ ବାବୁ ସିଂହ ମତ ପ୍ରକାଶ କରିଥିଲେ ଯେ, ଏହି ପଦକ୍ଷେପ ପର୍ଯ୍ୟଟନ କ୍ଷେତ୍ରର ବିସ୍ତାର ସହ ସୁରକ୍ଷିତ ଓ ସୁଖଦ ଯାତ୍ରାକୁ ପ୍ରୋତ୍ସାହନ ଦେବ। ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର କହିଥିଲେ, ଏହି ସେବା ମାଧ୍ୟମରେ ପର୍ବତ ଓ ଦୁର୍ଗମ ଅଞ୍ଚଳକୁ ମଧ୍ୟ ସହଜରେ ପହଞ୍ଚିବା ସମ୍ଭବ ହେବ।

ପର୍ଯ୍ୟଟନ ବିଭାଗ ପକ୍ଷରୁ ହୀରାକୁଦ, ଶିମିଳିପାଳ, ଦାରିଙ୍ଗବାଡ଼ି, ଦେଓମାଳି, ତାଳସାରି, ପେଣ୍ଠ, ମଙ୍ଗଳାଯୋଡ଼ି ଓ ଜିରାଙ୍ଗ ସହିତ ଅନ୍ୟାନ୍ୟ ଆକର୍ଷଣୀୟ ସ୍ଥାନକୁ କାରାଭାନ ଟୁରିଜିମ୍‌ ରୁଟ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି। ଭାଏବିଲିଟି ଗ୍ୟାପ୍‌ ଫଣ୍ଡିଂ ଯୋଜନା ଅଧୀନରେ ସ୍ୟାଣ୍ଡ ଏଣ୍ଡ ପେବେଲ ଟୁର୍ସ ସଂସ୍ଥା ସହ ମିଳି ଏହାକୁ ଆରମ୍ଭ କରାଯାଇଛି। ପ୍ରଥମ କାରାଭାନ ଯାତ୍ରା ବାଲେଶ୍ୱରର ତାଳସାରିକୁ ଯିବ ବୋଲି ସୂଚନା ମିଳିଛି।