ଭୁବନେଶ୍ୱର: କଟକରେ ହୋଇଥିବା ଗୋଷ୍ଠୀ ବିବାଦ ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ କରି ସମସ୍ତଙ୍କୁ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ଆହ୍ୱାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, “କଟକ ସହର ହେଉଛି ହଜାର ବର୍ଷର ଐତିହାସିକ ସହର ଓ ଭାଇଚାରାର ଅନନ୍ୟ ନିଦର୍ଶନ। କିନ୍ତୁ କେତେକ ବିଶୃଙ୍ଖଳାକାରୀ ଉପାଦାନଙ୍କ ଯୋଗୁଁ ଶାନ୍ତି ଭଙ୍ଗ ହୋଇ ସାଧାରଣ ଜନଜୀବନ ବିଘ୍ନିତ ହେଉଛି।”

ସେ ଏହା ମଧ୍ୟ କହିଛନ୍ତି ଯେ ସରକାର ଏହି ଘଟଣାକୁ ଗୁରୁତ୍ୱ ସହିତ ନେଇଛି ଏବଂ ଅଶାନ୍ତି ସୃଷ୍ଟି କରୁଥିବା ବ୍ୟକ୍ତିମାନଙ୍କ ଉପରେ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମୁଖ୍ୟମନ୍ତ୍ରୀ ଅଧିକ କହିଛନ୍ତି, “ସମସ୍ତ କଟକବାସୀ ମିଳି ଏହି ସହରର ଐତିହ୍ୟ ଓ ଗୌରବକୁ ଅକ୍ଷୁର୍ଣ୍ଣ ରଖନ୍ତୁ। ଶାନ୍ତି ଓ ସମନ୍ୱୟ ରଖି ସହରକୁ ଆହୁରି ଆଗକୁ ନେବାରେ ସହଯୋଗ କରନ୍ତୁ।”