ଭୁବନେଶ୍ୱର, 2 ଡିସେମ୍ବର: ରାଜ୍ୟର ଡିଷ୍ଟ୍ରିକ୍ଟ ମିନେରାଲ୍‌ ଫାଉଣ୍ଡେସନ୍‌ (DMF) ପାଣ୍ଠି ବ୍ୟବହାରକୁ ନିଷ୍ପତ୍ତିମୂଳକ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କଲେ। ଏହି ବୈଠକରେ ସେ ସ୍ପଷ୍ଟ ନିର୍ଦ୍ଦେଶ ଦେଲେ ଯେ ଲଘୁ ଖଣିଜରୁ ସଂଗୃହୀତ DMF ପାଣ୍ଠି ସେହି ଜିଲ୍ଲାରେ ମାତ୍ର ବ୍ୟୟ କରାଯିବ।

ବୈଠକରେ ଜଣାଯାଇଥିଲା ଯେ, ଚଳିତ ବର୍ଷ ଅକ୍ଟୋବର ଶେଷ ପର୍ଯ୍ୟନ୍ତ 11ଟି DMF ଜିଲ୍ଲାରୁ ସମୁଦାୟ 34,052 କୋଟି ଟଙ୍କା ସଂଗ୍ରହ ହୋଇଛି, ଯେଉଁଥିରୁ ପ୍ରାୟ 55% ଟଙ୍କା ଖର୍ଚ୍ଚ କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି ଖର୍ଚ୍ଚକୁ ବୃଦ୍ଧି କରି ଜନସାଧାରଣଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ଜଳ ଯୋଗାଣ, ସଡ଼କ ଯୋଗାଯୋଗ ଭଳି ମୌଳିକ ସେବା ଦେବାକୁ ଜୋର ଦେଲେ।

ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ଖର୍ଚ୍ଚ

ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଲେ ଯେ ଲଘୁ ଖଣିଜରୁ ଆସୁଥିବା DMF ପାଣ୍ଠି ସେହି ଜିଲ୍ଲାର ଯେକୌଣସି ଅଞ୍ଚଳର ଆବଶ୍ୟକ ଉନ୍ନୟନ ଖ୍ଷେତ୍ରରେ ବ୍ୟବହୃତ ହେବ। ଖଣି ଅଞ୍ଚଳର ପାର୍ଶ୍ୱବର୍ତ୍ତୀ ସ୍ଥାନରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବିଶେଷ ପଦକ୍ଷେପ ନେବାକୁ ମଧ୍ୟ ସେ ଜୋର ଦେଲେ।

DMF ଟ୍ରଷ୍ଟ ବୋର୍ଡ ବୈଠକ ତ୍ୱରାନ୍ୱିତ

ବୈଠକରେ ଜଣାପଡିଛି ଯେ 10ଟି ଜିଲ୍ଲାରେ ପୁନଃଗଠନ ହେବା ପରେ DMF ଟ୍ରଷ୍ଟ ବୋର୍ଡ ବୈଠକ ହୋଇସାରିଛି। ପ୍ରକଳ୍ପଗୁଡ଼ିକୁ ଖେପେ ଖେପେ ଅଗ୍ରସର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଲେ। ପ୍ରଭାବିତ ଏବଂ ପରୋକ୍ଷ ଭାବେ ପ୍ରଭାବିତ ଗ୍ରାମଗୁଡ଼ିକୁ ଚିହ୍ନଟ କରି ଉଚିତ ପଦକ୍ଷେପ ନେବାକୁ ଉପଦେଶ ଦିଆଗଲା।

ଏଣ୍ଡାଓମେଣ୍ଟ ଫଣ୍ଡ ଗଠନ

ଯେଉଁ ଜିଲ୍ଲାରେ ପ୍ରତିବର୍ଷ 10 କୋଟି ଟଙ୍କା କିମ୍ବା ତାଠାରୁ ଅଧିକ DMF ପାଣ୍ଠି ସଂଗ୍ରହ ହେଉଛି, ସେଠାରେ ଏକ ଏଣ୍ଡାଓମେଣ୍ଟ ଫଣ୍ଡ ଗଠନ କରାଯିବ। ଏହି ପାଣ୍ଠିକୁ ସରକାରୀ ବଣ୍ଡ, ବ୍ୟାଙ୍କ ଏଫଡି ଏବଂ ଅନ୍ୟାନ୍ୟ ସିକ୍ୟୁରିଟିରେ ବିନିଯୋଗ କରାଯିବ।

ଭବିଷ୍ୟତରେ ଖଣି କାର୍ଯ୍ୟକଳାପ ବନ୍ଦ ହେଲେ ସେହି ଅଞ୍ଚଳର ଲୋକଙ୍କ ଜୀବିକା ପାଇଁ ଏହି ପାଣ୍ଠି ବ୍ୟବହାର ହେବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କଲେ।