ଭୁବନେଶ୍ୱର: ଗତ ୨୦ ମାସ ମଧ୍ୟରେ ରାଜ୍ୟରେ ଶିଳ୍ପ ଓ ଭିତ୍ତିଭୂମି ଉନ୍ନୟନକୁ ଗୁରୁତ୍ୱ ଦେଇ ୧୦୯ଟି ବୃହତ୍ ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୧ ଲକ୍ଷ ୭୬ ହଜାର ନିଯୁକ୍ତି ସୃଷ୍ଟି ହୋଇଥିବା କଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଣାଇଛନ୍ତି। ଲୋକସେବା ଭବନ କନ୍ଭେନସନ ସେଣ୍ଟରରେ ଆୟୋଜିତ ‘ବିକାଶ ମନ୍ଥନ 1.0: ଗଭର୍ଣ୍ଣାନ୍ସ ଇନ୍ ଆକ୍ସନ୍’ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଅବସରରେ ସେ ଏହି ସୂଚନା ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ବିକଶିତ ଓଡ଼ିଶା–ବିକଶିତ ଭାରତ’ ଦୃଷ୍ଟିକୋଣକୁ ଆଗେଇ ନେବା ପାଇଁ ରାଜ୍ୟ ସରକାର ଅର୍ଥନୈତିକ ବିକାଶ, ସାମାଜିକ ପରିବର୍ତ୍ତନ, ଭିତ୍ତିଭୂମି ସଂପ୍ରସାରଣ ଓ ସାଂସ୍କୃତିକ ପୁନରୁତ୍ଥାନ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ସ୍ପଷ୍ଟ ନୀତି, ଦୃଢ଼ ପ୍ରଶାସନ ଓ ସାମୂହିକ ପ୍ରୟାସ ଫଳରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ଶ୍ରେଣୀରେ ସ୍ଥାନ ପାଇପାରିଛି ବୋଲି ସେ ଉଲ୍ଲେଖ କରିଥିଲେ।

ସେ କହିଥିଲେ ଯେ ଚଳିତ ବର୍ଷ ରାଜ୍ୟର ଅର୍ଥନୈତିକ ବୃଦ୍ଧିହାର ୭.୯ ପ୍ରତିଶତ ରହିଛି, ଯାହା ଜାତୀୟ ହାରଠାରୁ ଅଧିକ। ଗତ ୨୦ ମାସରେ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆକର୍ଷିତ ହୋଇଥିବାବେଳେ ୨.୪୦ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦ୍‌ଘାଟନ କରାଯାଇଛି।

Ease of Doing Business କ୍ଷେତ୍ରରେ ଓଡ଼ିଶା ଜାତୀୟ ସ୍ତରରେ ସ୍ୱୀକୃତି ହାସଲ କରିଥିବା ଉଲ୍ଲେଖ କରି ସେ କହିଥିଲେ ଯେ ଇଲେକ୍ଟ୍ରୋନିକ୍ସ, କୃତ୍ରିମ ବୁଦ୍ଧିମତ୍ତା, ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର ଓ ସେମିକଣ୍ଡକ୍ଟର କ୍ଷେତ୍ରରେ ନୂତନ ଶିଳ୍ପ ନୀତି ପ୍ରସ୍ତୁତ କରାଯାଇଛି। ରାଜ୍ୟକୁ ଡିଜିଟାଲ ଓ ଶିଳ୍ପ କେନ୍ଦ୍ରରେ ପରିଣତ କରିବା ଲକ୍ଷ୍ୟରେ ସରକାର କାର୍ଯ୍ୟରତ ବୋଲି ସେ କହିଥିଲେ।

ରାଜ୍ୟର ବଜେଟ ପ୍ରଥମଥର ପାଇଁ ୩ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବାକୁ ଯାଉଥିବାବେଳେ ଭିତ୍ତିଭୂମି ଉନ୍ନତି ପାଇଁ ୭୨,୧୦୦ କୋଟି ଟଙ୍କା ବ୍ୟୟର ପ୍ରାବଧାନ ହୋଇଛି। ବଡ଼ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ଋଣ ହାର ୧୩.୬ ପ୍ରତିଶତ ରହି FRBM ସୀମାଠାରୁ କମ୍ ବୋଲି ସେ ଜଣାଇଥିଲେ।

ସାମାଜିକ କ୍ଷେତ୍ରରେ ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ଏକ କୋଟିରୁ ଅଧିକ ମହିଳା ଆର୍ଥିକ ସଶକ୍ତିକରଣ ଲାଭ କରିଥିବାବେଳେ ପ୍ରାୟ ୧୭ ଲକ୍ଷ ମହିଳା ‘ଲକ୍ଷପତି ଦିଦି’ ହୋଇପାରିଛନ୍ତି। ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଦର ଦେବା ଫଳରେ ଚାଷୀଙ୍କ ଆତ୍ମବିଶ୍ୱାସ ବଢ଼ିଥିବା ସେ କହିଥିଲେ। ୨୦୨୪–୨୫ ମସିହାରେ ୯୨.୬୩ ଲକ୍ଷ ମେଟ୍ରିକ ଟନ୍ ଧାନ କ୍ରୟ କରାଯାଇ ୨୮,୭୧୫ କୋଟି ଟଙ୍କା ପ୍ରଦାନ ହୋଇଛି।

ଶିକ୍ଷା କ୍ଷେତ୍ରରେ ୪୫ ହଜାର ଶିଶୁବାଟିକା ଖୋଲାଯାଇଥିବା ସହ ୨୦ ହଜାରରୁ ଅଧିକ ଶିକ୍ଷକ ପଦ ପୂରଣ କରାଯାଇଛି। ‘ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୨ ହଜାର କୋଟି ଟଙ୍କା ବ୍ୟୟରେ ୨୨୦୦ଟି ବିଦ୍ୟାଳୟ ସ୍ଥାପନ କାର୍ଯ୍ୟ ଚାଲିଛି। ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୨୦୨୬–୨୭ ଅର୍ଥବର୍ଷରେ ୨୩,୧୮୨ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରହିଛି।

୨୦୨୭ ମାର୍ଚ୍ଚ ସୁଦ୍ଧା ସମସ୍ତ ଗ୍ରାମକୁ ପାଇପ ଯୋଗେ ପାଣି ପହଞ୍ଚାଇବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଭୁବନେଶ୍ୱର–କଟକ–ପୁରୀ–ପାରାଦୀପ ଇକୋନୋମିକ ରିଜିଅନର ଅର୍ଥନୀତିକୁ ୨୦୪୭ ସୁଦ୍ଧା ୫୦୦ ବିଲିୟନ ଡଲାରରେ ପହଞ୍ଚାଇବା ଲକ୍ଷ୍ୟ ରହିଛି ବୋଲି ସେ କହିଥିଲେ।

ଦୁଇଦିନିଆ ଏହି ରାଜ୍ୟସ୍ତରୀୟ ସମ୍ମିଳନୀରେ ୫୦୦ରୁ ଅଧିକ ନୀତିନିର୍ଦ୍ଧାରକ, ପ୍ରଶାସନିକ ଅଧିକାରୀ ଓ ବିଶେଷଜ୍ଞ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଦେଓ କୁମାର ସିଂ ଦେଓ ସହ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।