କଟକ: ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଓଡ଼ିଶା ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତି କରାଯାଇଛି। ଏହି ପର୍ବ ସମୟରେ ବେଆଇନ ଭାବରେ ଚାନ୍ଦା ଆଦାୟ କରିବା ଘଟଣା ସାଧାରଣତଃ ସାମ୍ନାକୁ ଆସୁଥିବାରୁ ଏହାକୁ ଏବେ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ କଡା ନିର୍ଦ୍ଦେଶ ଜାରି କରିଛନ୍ତି। ସେ ସମସ୍ତ ଜିଲ୍ଲା ଏସପିଙ୍କୁ ଚାନ୍ଦା ଆଦାୟକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓ ତଳସ୍ତରରେ ଏହି ନିଷେଧକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଡିଜିପିଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଆୟୋଜିତ ସମୀକ୍ଷା ବୈଠକରେ ପାର୍ବଣ ସମୟରେ ନିରାପତ୍ତାକୁ ଅଗ୍ରାଧିକାର ଦେବା ପାଇଁ ପ୍ରୟୋଜନୀୟ ପଦକ୍ଷେପ ନେବାକୁ ନିଦେଶ ମିଳିଛି। ସୋସିଆଲ ମିଡିଆରେ ଗୁଜବ ଓ ଭ୍ରାନ୍ତିକର ଖବର ଉପରେ ସତତା ନଜର ରଖିବା, ସାଇବର ସେଲ ଦ୍ୱାରା ୨୪ ଘଣ୍ଟିଆ ପାଟ୍ରୋଲିଂ କରିବା, ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ସ୍ଥାପନ, ଗୁଇନ୍ଦା ସୂଚନା ସଂଗ୍ରହ ଏବଂ ପୂଜା କମିଟି ସହ ସମନ୍ୱୟ ସ୍ଥାପନ କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ସେଥିପାଇଁ ବେଆଇନ ଗୋଚାଲାଣ ଓ ବାଣ ବିକ୍ରିକୁ ନିୟନ୍ତ୍ରଣ କରିବା, ପୂଜା ସମୟରେ ମେଳା ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ଓ ପ୍ରୟୋଜନୀୟ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲା ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ପର୍ବ ସମୟରେ କୌଣସି ଅପ୍ରୀତିକର ଘଟଣା ହେବାକୁ ନଦେବା ପାଇଁ ସଦାସର୍ବଦା ପ୍ରସ୍ତୁତ ରହିବାକୁ ଡିଜିପି କହିଛନ୍ତି।