ଭୁବନେଶ୍ୱର:

ଭୁବନେଶ୍ୱରରେ ଆସନ୍ତାକାଲିଠାରୁ ଡିସେମ୍ବର ୨୦ ପର୍ଯ୍ୟନ୍ତ ଆଞ୍ଚଳିକ AI Impact Conference ଅନୁଷ୍ଠିତ ହେବ। ଏହି ଐତିହାସିକ ସମ୍ମିଳନୀ ପାଇଁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଥିବା ଆଜି ଓଡ଼ିଶା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଶାସନ ଓ ପ୍ରମୁଖ ସାର୍ବଜନୀନ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI)ର ବ୍ୟବହାର ଓ ନିୟୋଜନ ମାଧ୍ୟମରେ ଓଡ଼ିଶାକୁ ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନିତ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ।

ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି (IT) ବିଭାଗ ଆୟୋଜିତ ଏହି ସମ୍ମିଳନୀ India AI Impact Conference 2026ର ଏକ ପ୍ରାକ୍‌-କାର୍ଯ୍ୟକ୍ରମ ଭାବେ ଅନୁଷ୍ଠିତ ହେବ। ଏହାର ମାଧ୍ୟମରେ ଓଡ଼ିଶାର AI ଦୃଷ୍ଟିକୋଣ, ନୀତି ନିର୍ଦ୍ଦେଶ ଏବଂ ବାସ୍ତବ କ୍ଷେତ୍ରରେ AIର ସଫଳ ପ୍ରୟୋଗ ସମ୍ପର୍କରେ ଆଲୋଚନା କରାଯିବ।

ସମ୍ମିଳନୀ ସମ୍ପର୍କରେ ସୂଚନା ଦେଇ ଇଲେକ୍ଟ୍ରୋନିକ୍ସ ଓ IT ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଓଡ଼ିଶା ପ୍ରଯୁକ୍ତି-ଚାଳିତ ବିକାଶ ପାଇଁ ଭବିଷ୍ୟତମୁଖୀ ଆଭିମୁଖ୍ୟ ଗ୍ରହଣ କରିଛି। Odisha AI Policy–2025 ସହିତ ଫିନଟେକ୍‌, ଗ୍ଲୋବାଲ କ୍ଷମତା କେନ୍ଦ୍ର ଓ ଉନ୍ନତ ଇଲେକ୍ଟ୍ରୋନିକ୍ସ ପାଇଁ ପ୍ରଗତିଶୀଳ ନୀତି ଆଣି ସରକାର AI ଗ୍ରହଣ ପାଇଁ ଏକ ସ୍ପଷ୍ଟ, ଦାୟିତ୍ୱପୂର୍ଣ୍ଣ ଓ ନିବେଶକ-ଅନୁକୂଳ ପରିବେଶ ଗଢ଼ି ତୁଳୁଛନ୍ତି।

“ଆମର ଲକ୍ଷ୍ୟ କେବଳ ଭିତ୍ତିଭୂମି ନୁହେଁ, ବରଂ ଦୃଢ଼ ଶାସନ, ବିଶ୍ୱସ୍ତରୀୟ ଡିଜିଟାଲ କ୍ଷମତା ଓ ଦୀର୍ଘକାଳୀନ ନୀତି ସହିତ ସମ୍ପୂର୍ଣ୍ଣ ଏକ ନବସୃଜନ ଇକୋସିଷ୍ଟମ ଗଢ଼ିବା,” ବୋଲି ମନ୍ତ୍ରୀ କହିଛନ୍ତି।

ଓଡ଼ିଶା ସରକାରଙ୍କ IT ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ କହିଛନ୍ତି ଯେ, ଏହି AI ସମ୍ମିଳନୀ କେବଳ ପ୍ରତିଶ୍ରୁତି ନୁହେଁ, ବରଂ ରାଜ୍ୟର ପ୍ରକୃତ ପ୍ରଗତିକୁ ପ୍ରଦର୍ଶନ କରିବାର ଏକ ମଞ୍ଚ। ଓଡ଼ିଶା ପୂର୍ବରୁ ମୁଖ୍ୟ ସରକାରୀ କାର୍ଯ୍ୟ ଓ ପ୍ରାଥମିକତା କ୍ଷେତ୍ରଗୁଡ଼ିକରେ AIର ପ୍ରୟୋଗ ଆରମ୍ଭ କରିଛି ଏବଂ ସେଥିପାଇଁ କ୍ଷମତା ନିର୍ମାଣ ଓ ସଂସ୍ଥାଗତ ପ୍ରସ୍ତୁତିରେ ମଧ୍ୟ ନିବେଶ କରିଛି।

ଗୁରୁତ୍ୱପୂର୍ଣ୍ଣ MoU ସ୍ୱାକ୍ଷର

ଏହି ସମ୍ମିଳନୀ ସମୟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହେବ। ଏହା ଦ୍ୱାରା ଓଡ଼ିଶାର AI ଯାତ୍ରାକୁ ସମର୍ଥନ କରୁଥିବା ସହଭାଗୀତାକୁ ଆନୁଷ୍ଠାନିକ ରୂପ ମିଳିବ। ସମ୍ମିଳନୀ ମାଧ୍ୟମରେ ସରକାରୀ ବିଭାଗ, ଶିଳ୍ପ, ଶିକ୍ଷାନୁଷ୍ଠାନ ଓ ଗବେଷଣା ସଂସ୍ଥାମାନଙ୍କ ମଧ୍ୟରେ ସମନ୍ୱୟ ବଢ଼ିବା ସହ ଦୀର୍ଘକାଳୀନ AI ପଦକ୍ଷେପକୁ ତ୍ୱରାନ୍ୱିତ କରାଯିବ।

ଫେବୃଆରୀ ୨୦୨୬ରେ ଦିଲ୍ଲୀରେ ହେବାକୁ ଥିବା India AI Impact Conference ପୂର୍ବରୁ ଓଡ଼ିଶାରେ ଆୟୋଜିତ ଏହି ଆଞ୍ଚଳିକ ସମ୍ମିଳନୀ, ଭାରତର ଉଦୀୟମାନ AI ଇକୋସିଷ୍ଟମରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ଉପସ୍ଥାପନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।