ଭୁବନେଶ୍ୱର, ୭ ମଇ – ଦେଶର ସୀମାରେ ବଢ଼ୁଥିବା ଉତ୍ତେଜନା ଓ ‘ଅପରେସନ ସିନ୍ଦୂର’ ପରେ ଦେଖାଯାଉଥିବା ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ଓଡ଼ିଶା ସରକାର ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ଡାଲି, ଚାଉଳ, ତେଲ ଭଳି ଅତ୍ୟାବଶ୍ୟକ ଖାଦ୍ୟପଦାର୍ଥ ଯଥେଷ୍ଟ ପରିମାଣରେ ମଜୁତ ଅଛି ଓ ଯେକୌଣସି ଅପରିସ୍ଥିତିକୁ ସାମ୍ନା କରିବାକୁ ସରକାର ସମ୍ପୂର୍ଣ୍ଣ ସକ୍ଷମ।
ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବାକୁ ବଜାର ଉପରେ ତିବ୍ର ନଜର ରଖାଯାଉଛି। ମନ୍ତ୍ରୀ ପାତ୍ର ସୁଚନା ଦେଇଛନ୍ତି ଯେ, କୌଣସି ପ୍ରକାରର କଳାବଜାରୀକୁ ପ୍ରଶ୍ରୟ ଦିଆଯିବ ନାହିଁ ଓ ଅସାଧୁ ବ୍ୟବସାୟୀ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
ଧାନ କିଣା ପାଇଁ ବୃହତ୍ ପ୍ରସ୍ତୁତି
ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ଏଥର ରବି ଧାନ ପାଇଁ ୨୦ଟି ଜିଲ୍ଲାରେ ପଞ୍ଜୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି, ଯେଉଁଠାରେ ଗତବର୍ଷ ୧୭ଟି ଜିଲ୍ଲାରେ କାର୍ଯ୍ୟ ଚାଲିଥିଲା। ପଞ୍ଜୀକରଣ ପରେ ସାଟେଲାଇଟ ସର୍ଭେ ହେବ ଓ ଏହା ପରେ ସପ୍ତାହ ମଧ୍ୟରେ ଧାନ କିଣା ଆରମ୍ଭ ହେବ।
ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ କରିବା ଲକ୍ଷ୍ୟ ରଖାଯାଇଛି, ଯେଉଁଥିରେ ସମ୍ପୂର୍ଣ୍ଣ ଲକ୍ଷ୍ୟ ୧୫ ଲକ୍ଷ ମେଟ୍ରିକ୍ ଟନ ରହିଛି। ଚାଷୀଙ୍କ ଅଧିକାର ନିଶ୍ଚିତ କରିବାକୁ, ଧାନ ବିକ୍ରୟ ପରେ ୪୮ ଘଣ୍ଟା ମଧ୍ୟରେ ତାଙ୍କ ଖାତାକୁ ଟଙ୍କା ଯିବ। ମଣ୍ଡି ପରିଚାଳନା ପାଇଁ ନୋଡାଲ ଅଫିସର ନିଯୁକ୍ତ ହେବେ।
ସାଇନ୍ସ ସିଟି ପ୍ରତିଷ୍ଠା ଯୋଜନା
ଓଡ଼ିଶାର ଶିକ୍ଷା ଓ ବିଜ୍ଞାନ ବିକାଶ ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ଆଧୁନିକ ସାଇନ୍ସ ସିଟି ପ୍ରତିଷ୍ଠା ପାଇଁ ଯୋଜନା ରଖାଯାଇଛି। ମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏହା ଲକ୍ଷ୍ୟ ଅଟୁଟ ଅଛି। ଏହି ପ୍ରକଳ୍ପ ପାଇଁ ଅହମ୍ମଦାବାଦର ସାଇନ୍ସ ସିଟି ଦେଖି ଅନୁଭବ ସଂଗ୍ରହ କରାଯାଇଛି। ଭବିଷ୍ୟତରେ ରାଜ୍ୟର ସମସ୍ତ ଜିଲ୍ଲାରେ ସାଇନ୍ସ ପାର୍କ ରହିବା ଯୋଜନା ମଧ୍ୟ ଅଛି।