ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ ଯୋଗ ହୋଇଛି। ରାଜ୍ୟବାସୀଙ୍କୁ ପ୍ରଥମଥର ପାଇଁ ଜଣେ ମହିଳା ମୁଖ୍ୟ ଶାସନ ସଚିବ ମିଳିଛନ୍ତି। ବର୍ତ୍ତମାନ ଉନ୍ନୟନ କମିଶନର ଭାବେ କାର୍ଯ୍ୟରତ ଥିବା ୧୯୯୧ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଅନୁ ଗର୍ଗଙ୍କୁ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି।
ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଆସନ୍ତା ୩୧ ତାରିଖରେ ସମାପ୍ତ ହେବ। ତାଙ୍କ ସ୍ଥାନରେ ଅନୁ ଗର୍ଗ ଦାୟିତ୍ୱ ଗ୍ରହଣ କରିବେ। ନୂଆ ଦାୟିତ୍ୱ ସହ ଓଡ଼ିଶାକୁ ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଦେଇଥିବାରୁ ଏହି ନିଯୁକ୍ତିକୁ ଐତିହାସିକ ଭାବେ ଦେଖାଯାଉଛି। ସେ ଆଉ ପ୍ରାୟ ତିନି ବର୍ଷ ପରେ ଅବସର ନେବେ।
ଅନୁ ଗର୍ଗଙ୍କ ମୁଖ୍ୟ ଶାସନ ସଚିବ ନିଯୁକ୍ତି ନେଇ ପଛଲା ଦୁଇ ବର୍ଷ ଧରି ଚର୍ଚ୍ଚା ଚାଲିଥିଲା। ବିଭିନ୍ନ ବିଭାଗରେ ତାଙ୍କ କାର୍ଯ୍ୟଦକ୍ଷତା ଏବଂ ପ୍ରଶାସନିକ ଅନୁଭବ ତାଙ୍କୁ ଏହି ଗୁରୁଦାୟିତ୍ୱ ପାଇଁ ଯୋଗ୍ୟ କରିଛି। ସେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାମ କରିଛନ୍ତି। ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିବାବେଳେ ସେ ଗୃହ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ସଫଳତାର ସହିତ ନିର୍ବାହ କରିଥିଲେ।
ପ୍ରଶାସନିକ ସଙ୍କଟ ସମୟରେ ମଧ୍ୟ ତାଙ୍କ ଭୂମିକା ଉଲ୍ଲେଖନୀୟ ରହିଛି। ପୁରୀରେ ରଥଯାତ୍ରା–୨୦୨୫ ସମୟରେ ଘଟିଥିବା ଦଳାଚକଟା ସମ୍ପର୍କିତ ଘଟଣାରେ ଗଠିତ ପୁରୀ ଅଘଟଣ ତଦନ୍ତକାରୀ କମିଟିର ଅଧ୍ୟକ୍ଷ ଭାବେ ସେ ଦାୟିତ୍ୱ ତୁଲାଇଥିଲେ। ସେହିପରି କୋଭିଡ–୧୯ ସଂକଟ କାଳରେ ରାଜ୍ୟ ସରକାର ତାଙ୍କୁ ଗୁରୁଦାୟିତ୍ୱ ଦେଇଥିଲେ ଏବଂ ୧୪ଜଣିଆ କୋଭିଡ ପର୍ଯ୍ୟବେକ୍ଷକ ଦଳରେ ତାଙ୍କୁ ସାମିଲ କରାଯାଇଥିଲା।
ଅନୁ ଗର୍ଗଙ୍କ ନିଯୁକ୍ତି ସହ ରାଜ୍ୟ ପ୍ରଶାସନରେ ନୂଆ ଆଶା ଓ ଆଶ୍ୱାସନ ସୃଷ୍ଟି ହୋଇଛି।





