ଭୁବନେଶ୍ୱର, ୨୦ ସେପ୍ଟେମ୍ବର (ବନ୍ଦନା ସେଠୀ): ବଙ୍ଗୋପସାଗରରେ ପଛକୁ ପଛ ତିନୋଟି ଲଘୁଚାପ ସୃଷ୍ଟି ହେବାରୁ ରାଜ୍ୟରେ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାଭାସ ମିଳିଛି। ବର୍ତ୍ତମାନ ମୌସୁମୀ ନିମ୍ନଚାପରେଖା ଓ ଟ୍ରପ୍ଲାଇନ୍ର ପ୍ରଭାବରେ ବର୍ଷା ହେଉଛି।
ଉତ୍ତର ଆଣ୍ଡାମାନ ଏବଂ ସଂଲଗ୍ନ ମ୍ୟାନ୍ମାର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟଟି ୨୨ ସେପ୍ଟେମ୍ବର ସୁଦ୍ଧା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ସରି ଉତ୍ତର ବଙ୍ଗୋପସାଗରକୁ ପହଞ୍ଚିବ। ୨୩ରୁ ବର୍ଷା ପରିମାଣ ବୃଦ୍ଧିପାଇବ ଏବଂ ୨୫ରେ ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ୨୬ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅତିପ୍ରବଳ ବର୍ଷା ହେବ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା ରେକର୍ଡ ହୋଇଥିଲା। ସର୍ବାଧିକ ୨.୭ ସେ.ମି. ବର୍ଷା ଗଜପତି ଜିଲ୍ଲାର ନୂଆଗଡ଼ରେ ହୋଇଛି।
ପାଣିପାଗ ବିଭାଗର ପୂର୍ବାଭାସ ଅନୁସାରେ ରବିବାର ଓ ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ର କିଛି ସ୍ଥାନରେ ବିଜୁଳି ସହିତ ପ୍ରବଳ ବର୍ଷା ହେବ।
ବର୍ଷା ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦–୪୦ କି.ମି. ରହିବ। ମଙ୍ଗଳବାରଠାରୁ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ଅଧିକିବାର ସୂଚନା ମିଳିଛି।